Categories: ଜାତୀୟ

ଦୂତାବାସ ଚଳାଇପାରିଲାନି ଆଫଗାନିସ୍ତାନ

ନୂଆଦିଲ୍ଲୀ,୨ା୧୦ : ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ବିଫଳତା ଏବଂ କର୍ମଚାରୀ ଓ ସମ୍ବଳ ଅଭାବ ଦର୍ଶାଇ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନୀ ଦୂତାବାସ ରବିବାର ଏହାକୁ ବନ୍ଦ ଘୋଷଣା କରିଛି। ତତ୍ତ୍ୱାବଧାରକ କ୍ଷମତା ବଳରେ ଭାରତ ଉକ୍ତ ଦୂତାବାସକୁ ନିଜ ନିୟନ୍ତ୍ରଣକୁ ନେଇପାରିବ ବୋଲି ଏକ ବିବୃତିରେ କୁହାଯାଇଛି। ଆଫଗାନିସ୍ତାନରେ ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରି ତାଲିବାନ୍‌ କ୍ଷମତାକୁ ଆସିବାର ୨ ବର୍ଷ ପରେ ଭାରତରେ ଏହାର ଦୂତାବାସ ବନ୍ଦ ଘୋଷଣା କରିଛି।

ତାଲିବାନ ସରକାରଙ୍କୁ ଭାରତ ସ୍ବୀକୃତି ଦେଇ ନ ଥିଲେ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ୍‌ ଘନିଙ୍କ ଦ୍ୱାରା ନିଯୁକ୍ତ ରାଷ୍ଟ୍ରଦୂତ ଓ ମିଶନ କର୍ମଚାରୀଙ୍କ ଦ୍ୱାରା ଦୂତାବାସ ଚଳାଇବା ପାଇଁ ଅନୁମତି ଦେଇଥିଲା। ଚଳିତ ବର୍ଷ ଆରମ୍ଭରେ ତାଲିବାନ୍‌ ମମୁଣ୍ଡଜେଙ୍କ ସ୍ଥାନରେ ମିଶନ୍‌ ମୁଖ୍ୟ ଭାବେ ଜଣେ ଚାର୍ଜ ଡି’ଆଫେୟାର୍ସଙ୍କୁ ନିଯୁକ୍ତି ଦେବା ପରେ ଦୂତାବାସରେ କ୍ଷମତା କନ୍ଦଳ ସୃଷ୍ଟି ହୋଇଥିଲା। ନେତୃତ୍ୱରେ ପରିବର୍ତ୍ତନ ହୋଇନାହିଁ ବୋଲି ପରେ ଦୂତାବାସ ପକ୍ଷରୁ ଏକ ବିବୃତିରେ କୁହାଯାଇଥିଲା।

ଆଫଗାନିସ୍ତାନ ଦୂତାବାସ ବନ୍ଦ ହେବା ପଛର ପ୍ରମୁଖ କାରଣ ହେଲା ଭାରତରୁ ସମର୍ଥନ ନ ପାଇବା, ଆଫଗାନସ୍ତାନର ସ୍ବାର୍ଥ ପାଇଁ କାମ କରିବାରେ ବିଫଳ ହେବା ଏବଂ କର୍ମଚାରୀ ଅଭାବ। ଭାରତ ସରକାରଙ୍କଠାରୁ ଜରୁରୀ ସମର୍ଥନ ନ ପାଇବାରୁ କର୍ତ୍ତବ୍ୟ ସମ୍ପାଦନରେ ବିଫଳ ହେଲୁ ବୋଲି ଦୂତାବାସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ତେବେ ଭାରତ ସରକାର ଏନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ଦ୍ୱିତୀୟରେ ଆଫଗାନିସ୍ତାନ ଓ ଏହାର ନାଗରିକମାନଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ମିଶନ ବିଫଳ ହୋଇଥିବା ସ୍ବୀକାର କରିଛି।

ଭାରତରୁ କୂଟନୈତିକ ସହାୟତା ନ ମିଳିବା ଏବଂ କାବୁଲରେ ବୈଧ ଭାବେ କାର୍ଯ୍ୟରତ ସରକାର ନ ଥିବାରୁ ଏହା ସମ୍ଭବ ହେଲା ନାହିଁ ବୋଲି କୁହାଯାଇଛି। ଅପ୍ରତ୍ୟାଶିତ ସ୍ଥିତି ଯୋଗୁ ଦୂତାବାସର କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବା ସହ ସମ୍ବଳର ଘୋର ଅଭାବ ଦେଖାଦେଇଥିଲା। ଫଳରେ ଏହାକୁ ଚଳାଇବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ଦୂତାବାସ କହିଛି।

Share