Categories: ଜାତୀୟ

‘ଜରୁରୀକାଳୀନ ପରିସ୍ଥିତ ଭାରତୀୟ ଗଣତନ୍ତ୍ର ଉପରେ କଳାଦାଗ’

ମ୍ୟୁନିକ୍‌,୨୬ା୬: ଜି ୭ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜର୍ମାନୀର ମ୍ୟୁନିକ୍‌ରେ ପହଞ୍ଚିଛନ୍ତି। ଭାରତ ଜି ୭ର ସଦସ୍ୟ ହୋଇ ନ ଥିଲେ ହେଁ ଜର୍ମାନୀ ପକ୍ଷରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ମୋଦି ସେଠାକୁ ଯାଇଛନ୍ତି। ମୁନିକ୍‌ ବିମାନବନ୍ଦରରେ ଅବତରଣ ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ସେ ଅଡି ଡୋମ୍‌ ଇନ୍‌ଡୋର ଏରେନାରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ ଦେଇ କହିଥିଲେ, ‘୪୭ ବର୍ଷ ତଳେ ଭାରତୀୟ ଗଣତନ୍ତ୍ରକୁ ବନ୍ଧକ ରଖିବାକୁ ପ୍ରୟାସ ହୋଇଥିଲା। ଜରୁରୀକାଳୀନ ପରିସ୍ଥିତ ଭାରତୀୟ ଗଣତନ୍ତ୍ର ଉପରେ କଳାଦାଗ। ଆମେ ଭାରତୀୟ ଯେଉଁଠି ବି ରହୁ ଆମ ଗଣତନ୍ତ୍ର ପାଇଁ ଗର୍ବିତ। ପ୍ରତ୍ୟେକ ଭାରତୀୟ ଗର୍ବର ସହିତ କହିପାରିବେ ଭାରତ ଗଣତନ୍ତ୍ରର ଜନ୍ମଦାତା’

ଦୁଇଦିନିଆ ଗସ୍ତ ବେଳେ ସେ ଜି ୭ ଏବଂ ଅତିଥି ରାଷ୍ଟ୍ରଗୁଡ଼ିକର ନେତାଙ୍କ ସହ ସାକ୍ଷାତ୍‌ କରି ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ, ଆତଙ୍କବାଦ ମୁକବିଲା, ଲିଙ୍ଗଗତ ସମାନତା ଓ ଗଣତନ୍ତ୍ର ଭଳି ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଭାବ ବିନିମୟ କରିବେ। ଏହା ପରେ ୨୮ ତାରିଖରେ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରି ପରଲୋକଗତ ରାଷ୍ଟ୍ରପତି ତଥା ଆବୁଧାବି ଶାସକ ଶେଖ୍‌ ଖଲିଫା ବିନ୍‌ ଜାୟେଦ୍‌ ଅଲ୍‌ ନହ୍ୟାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି।

Share