ୟୁକ୍ରେନରେ ୩୦ ଦିନ ପାଇଁ ଲାଗୁହେବ ଜରୁରିକାଳୀନ ପରିସ୍ଥିତି

କ୍ୱିଭ୍‌,୨୩ା୨: ରୁଷିଆର ସେନା ଦ୍ୱାରା ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ୟୁକ୍ରେନର ସୁରକ୍ଷା ପରିଷଦ ସମସ୍ତ ଅଞ୍ଚଳରେ ୩୦ ଦିନିଆ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି। ଯଦିଓ ଡୋନେସ୍କ ଏବଂ ଲୁହାନସ୍କକୁ ବାଦ୍‌ ଦିଆଯାଇଛି, ସେଠାରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବ ନାହିଁ। ବିଚ୍ଛିନ୍ନତାବାଦୀମାନଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ୟୁକ୍ରେନ ସୈନ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କୁହାଯାଉଛି।

ଏନ୍‌ଏସଡିସି ସଚିବ ଓଲେକ୍ସି ଡାନିଲୋଭ ବୁଧବାର କହିଛନ୍ତି, ଡୋନେସ୍କ ଏବଂ ଲୁହାନସ୍କ ଅଞ୍ଚଳ ବ୍ୟତୀତ ୟୁକ୍ରେନର ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦ (NSDC) ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ଜରୁରିକାଳୀନ ସମୟସୀମା ମଧ୍ୟ ବୃଦ୍ଧି କରାଯାଇପାରିବ ବୋଲି ସେ କହିଛନ୍ତି।

ଡାନିଲୋଭ ଗଣମାଧ୍ୟମକୁ କହିଛନ୍ତି, ଆଜି ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏହା ଉପରେ ଏକ ନିଷ୍ପତ୍ତି ନିଆଯାଇଛି। ଆମର ନିୟମ ଅନୁଯାୟୀ, ଭର୍କୋଭନା ରାଡା (ୟୁକ୍ରେନର ସଂସଦ) ୪୮ ମିନିଟ୍‌ ମଧ୍ୟରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରିବା ଜରୁରୀ। ଡୋନେସ୍କ ଏବଂ ଲୁହାନସ୍କ ବ୍ୟତୀତ ସମଗ୍ର ୟୁକ୍ରେନରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବ।

ଦେଶର ବିଭିନ୍ନ ଅଞ୍ଚଳରେ ପରିସ୍ଥିତିକୁ ଦେଖି ଜରୁରିକାଳୀନ ପରିସ୍ଥିତିରେ କୋହଳ କିମ୍ବା କଟକଣା ଜାରି କରାଯିବ। ସେ କହିଛନ୍ତି, ୩୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯିବ। ଆବଶ୍ୟକ ପଡ଼ିଲେ ଏହାକୁ ୬୦ ଦିନ ପାଇଁ ମଧ୍ୟ ବୃଦ୍ଧି କରାଯାଇପାରିବ।

Share