ଛିଦ୍ର ଥିବା ସତ୍ତ୍ୱେ ୧୪ ଘଣ୍ଟା ଧରି ଉଡ଼ିଲା ଏମିରେଟ୍ସ ବିମାନ

ବ୍ରିସ୍‌ବେନ,୫।୭: ଅଷ୍ଟ୍ରେଲିଆର ବ୍ରିସ୍‌ବେନ ବିମାନବନ୍ଦରରେ ଛିଦ୍ର ଥିବା ଏକ ଏମିରେଟ୍ସ ବିମାନ ସୁରକ୍ଷିତ ଭାବେ ଅବତରଣ କରିଛି। ହେଲେ ବିମାନର ବାମ ପାର୍ଶ୍ୱରେ ଥିବା ଡେଣା ନିକଟରେ ଏକ ବଡ଼ ଛିଦ୍ର ଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଜୁଲାଇ ୧ ତାରିଖରେ ଦୁବାଇ ବିମାନବନ୍ଦରରୁ ଇକେ ୪୫୦ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ଏମିରେଟ୍ସ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉକ୍ତ ବିମାନରେ ଏକ ବଡ଼ ଛିଦ୍ର ଥିବା ସତ୍ତ୍ୱେ ୧୪ଘଣ୍ଟା ଧରି ଏହି ବିମାନ ନିରାପଦଭାବେ  ଯାତ୍ରା କରିଥିଲେ। ଏହି ସମୟରେ କୌଣସି ଅଘଟଣ ଘଟିଥାନ୍ତା ବୋଲି କେତେକ ଯାତ୍ରୀ କହିଛନ୍ତି। ଏଥିସହ ବିମାନରୁ ଜୋରରେ ଏକ ଶବ୍ଦ ଶୁଭିଥିଲା। ଫଳରେ ୪୫ ମିନିଟ୍‌ ଧରି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କିନ୍ତୁ କ୍ରିୟୁ ମେମ୍ବର ଯାତ୍ରୀମାନଙ୍କୁ ଶାନ୍ତ ରହିବାକୁ କହିବା ସହ ଖାଦ୍ୟ ସେବା ବନ୍ଦ କରି ଫୋନ, ବିମାନର ଡେଣା ଏବଂ ଇଞ୍ଜିନ ଯାଞ୍ଚ କରିଥିଲେ। ଅନ୍ୟପକ୍ଷେ ବିମାନକୁ ଅବତରଣ କରିବା ପାଇଁ ଅଷ୍ଟ୍ରେଲିଆର ବ୍ରିସ୍‌ବେନ ବିମାନବନ୍ଦର ଏୟାର କଣ୍ଟ୍ରୋଲ ସହ ଯୋଗାଯୋଗ କରାଯାଇଥିଲା। ପରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା। ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ବିମାନରେ ଛିଦ୍ର ଥିବା ସତ୍ତ୍ୱେ ଅବତରଣ କରିବାରେ କୌଣସି ପ୍ରଭାବ ପଡ଼ି ନ ଥିଲା ବୋଲି ନାଶନାଲ ଏମିରେଟ୍ସର ମୁଖପାତ୍ର କହିଛନ୍ତି।

Share