ଭାବୁକ କଲା ଚଳଚ୍ଚିତ୍ର ‘ଭାବାନ୍ତର’

ଭୁବନେଶ୍ୱର,୧୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ନାରୀ ପୁରୁଷ ମଧ୍ୟରେ ଏକ ଭିନ୍ନ ସମ୍ପର୍କର ବାସ୍ନା। ଭଲପାଇବାର ଏକ ଭିନ୍ନ ମୋଡ଼। ଶ୍ରାବଣୀ ନାମ୍ନୀ ଏକ ଝିଅଟିଏ ମିଲନ ପ୍ରେମରେ ପଡ଼ନ୍ତି। ମାତ୍ର ତାଙ୍କର ବିବାହ ହୁଏ ଶ୍ରୀତମ ସହ। ବାହାଘର ପରେ ଶ୍ରାବଣୀ ଶ୍ରୀତମଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରନ୍ତି। ଏଥିସହ ମିଲନ୍‌ଙ୍କ ସହ ଥିବା ତାଙ୍କ ସମ୍ପର୍କ ସେ ଶ୍ରୀତମଙ୍କ ପାଖେ ବଖାଣନ୍ତି। ଶ୍ରୀତମ ସବୁ ଶୁଣି ଶ୍ରାବଣୀକୁ ଗ୍ରହଣ କରନ୍ତି ଆଉ ମିଛରେ ପରିବାର ଆଗରେ ସ୍ତ୍ରୀସ୍ବାମୀର ସମ୍ପର୍କ ଭଳି ରହିବାକୁ ଅନୁରୋଧ କରନ୍ତି। ଏଥିସହ ମିଲନ୍‌ଙ୍କୁ ଖୋଜି ଆଣିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ଏହାଭିତରେ ଶ୍ରାବଣୀଙ୍କର ଏକ ପୁଅ ହୋଇଛି। ପୁଅର ଜନ୍ମଦିନ ଉତ୍ସବରେ ଶ୍ରାବଣୀ ମିଲନଙ୍କୁ ଦେଖନ୍ତି। ଏତେଦିନ ଧରି ଖୋଜୁଥିବା ତାଙ୍କ ପ୍ରେମକୁ ପାଖରେ ପାଇ ବି ଶ୍ରାବଣୀ ଆପଣେଇ ପାରିନାହାନ୍ତି। ଓଲଟି ମିଲନ୍‌ଙ୍କୁ ଛାଡ଼ି ଚାଲିଯିବାକୁ କୁହନ୍ତି। ସ୍ବାମୀ, ସ୍ତ୍ରୀର ପରିଚୟ ସହିତ ସେମାନଙ୍କର ନିସଙ୍ଗ ଜୀବନ ତାଙ୍କୁ ଆଣି ଏକ ପରିଣତ ଅପରାହ୍ନରେ ପହଞ୍ଚାଇଦେଇଛି। ସୋମବାର ପ୍ରକ୍ଷାଳୟରେ ପ୍ରଦର୍ଶିତ ଚଳଚ୍ଚିତ୍ର ‘ଭାବାନ୍ତର’ର ଏଭଳି ଏକ କାହାଣୀ ଦର୍ଶକଙ୍କୁ ଭାବୁକ କରିଦେଇଥିଲା। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ସୂର୍ଯ୍ୟମୟୀ, ଅଭିନେତା ଅଭିଷେକ ଗିରି, ସରୋଜ ନନ୍ଦ ପ୍ରମୁଖ ରହିଛନ୍ତି। ଦୀର୍ଘ ୩୫ବର୍ଷ ପରେ ବିଶିଷ୍ଟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସେ କହିଛନ୍ତି, ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଗଳ୍ପ ବାଛିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଅଜୟ ମହାପାତ୍ରଙ୍କ ପବିତ୍ର ପାପ ଗଳ୍ପର ନାମ ପରିବର୍ତ୍ତନ କରି ଭାବାନ୍ତର ରଖିଲି। ଚିତ୍ରନାଟ୍ୟ, ସଂଳାପ ଲେଖିବା ବେଳେ ମଧ୍ୟ କିଛି ପରିବର୍ତ୍ତନ କରିଛି। ନୂଆ ପିଲାଙ୍କୁ ନେଇ କାମ କରିବାକୁ ଭଲ ଲାଗିଲା।

Share