ଦିନ ଥିଲା ପ୍ରିୟଙ୍କା ଚୋପ୍ରା ବଲିଉଡ୍ର ଜଣେ ଆଗଧାଡିର ଅଭିନେତ୍ରୀ ଭାବରେ ପରିଗଣିତ ହେଉଥିଲେ। ହେଲେ ସେ ହଲିଉଡ୍ରେ ସୁଯୋଗ ପାଇବା ପରେ ତାଙ୍କୁ ଆଉ ହିନ୍ଦୀ ସିନେମାରେ ଦେଖିବାକୁ ମିଳି ନ ଥିଲା। ହଲିଉଡ୍ ଗାୟକ ନିକ୍ ଜୋନାସ୍ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏବେ ସେ ହଲିଉଡ୍ରେ ବ୍ୟସ୍ତ ଅଛନ୍ତି। ନିକଟରେ ନିଜ କ୍ୟାରିୟର ସମ୍ପର୍କରେ ସୂଚନା ଦେଉଦେଉ ଇମୋଶନାଲ ହୋଇପଡିଥିଲେ ପ୍ରିୟଙ୍କା। ହେଲେ କ’ଣ ପାଇଁ ସେ ହଠାତ୍ ଏମିତି ଭାବପ୍ରବଣ ହୋଇପଡିଲେ ଜାଣିବେନି ? ଏ ନେଇ ପ୍ରିୟଙ୍କା କହନ୍ତି, ‘ଗତ କିଛି ବର୍ଷ ହେବ ମୁଁ ହିନ୍ଦୀ ସିନେମାଠାରୁ ଦୂରେଇ ଯାଇଛି। କାରଣ ଯେଉଁ କେତୋଟି ହଲିଉଡ୍ ପ୍ରୋଜେକ୍ଟ ମୋତେ ମିଳିଥିଲା ତାକୁ ତ ଶେଷ କରିବାକୁ ପଡିବ। କିନ୍ତୁ ବଲିଉଡ୍କୁ ମୁଁ କ’ଣ କେବେ ଭୁଲି ପାରିବି? ଏହା ମୋତେ ନେମ୍ ଫେମ୍ ସବୁକିଛି ଦେଇଛି। ଅବଶ୍ୟ ଏଇ କିଛି ବର୍ଷ ଭିତରେ ମୋତେ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରିବାକୁ ଅଫର ମିଳିଥିଲା, କିନ୍ତୁ ସମୟ ଅଭାବରୁ ସେଗୁଡିକୁ ହାତଛଡା କରିଥିଲି। ଏବେ ଫରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜି ଲେ ଜରା’ରେ ଅଭିନୟ କରୁଛି। ଏହି ସିନେମାଟିକୁ ଦର୍ଶକ ଗ୍ରହଣ କରିବେ ବୋଲି ମଧ୍ୟ ଆଶା ରଖିଛି।’ ଏଥିରେ ପ୍ରିୟଙ୍କାଙ୍କ ବ୍ୟତୀତ ଆଲିୟା ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମଟି ଚଳିତ ବର୍ଷ ପରଦା ଉପରକୁ ଆସିବାର ଯୋଜନା ରହିଛି।