ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ

କ୍ୱିଭ୍‌,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ ଆକମଣ ଆରମ୍ଭ କରି ଦେଇଛି । ଏହି ସମୟରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷିଆ ମିଶାଇଲ ମାଡ କରିଥିବା ବେଳେ ଅନେକ ଲୋକ ମୃତାହତ ହୋଇଥିବା ଖବର ଆସଛି । ରୁଷିଆ ଦାବି କରିଛି ଯେ ସେ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛି । ଏହି ସମୟରେ ୟୁକ୍ରେନ ତା’ର ନାଗରିକଙ୍କୁ ସେନାରେ ଭର୍ତ୍ତି କରୁଥିବା ଦେଖାଯାଇଛି ।
ରୁଷିଆର ଆକ୍ରମଣ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । କେଉଁଠି ୟୁକ୍ରେନର ଧ୍ୱଂସ ବିଧ୍ୱଂସ ସହର ତ ପୁଣି କେଉଁଠି ରୁଷିଆର ୟୁକ୍ରେନ ଉପରେ ତାଣ୍ଡବ । ଆଉ କିଛି ଭିଡିଓରେ ଲୋକେ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି । ହେଲେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ସମସ୍ତଙ୍କୁ କନ୍ଦାଇ ଦେଇଛି । ବାପ-ଝିଅଙ୍କ ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ପିତା ଯୁଦ୍ଧକୁ ଯିବା ପୂର୍ବରୁ ନିଜ ପରିବାରକୁ ଗୁଡବାୟ କହିବାକୁ ଆସିଛନ୍ତି । ବ୍ୟକ୍ତି ଜଣଙ୍କ ପରିବାର ସହ ମିଶିବାପରେ ନିଜ ଝିଅକୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦୁଛନ୍ତି । ଝିଅବି କାନ୍ଦୁଥିବାର ନଜର ଆସିଛି । ଏହି ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରାଯିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖି କେହି ନିଜର କୋହ ସମ୍ଭାଳି ପାରୁ ନାହାନ୍ତି । ଏହା ହୁଏତ ପିତା ପୁତ୍ରିଙ୍କ ଶେଷ ମିଳନ ହୋଇପାରେ । କିଏ ଜାଣେ ଯୁଦ୍ଧ କ୍ଷେତ୍ରରେ ବିଜୟୀ ହୋଇ ଏହି ବୀର ଯବାନ ନିଜ ପରିବାର ନିକଟକୁ ଫେରିବେ କି ନା । ଭିଡିଓଟି ଖୁବ୍ ଇମୋଶନାଲ ହୋଇଛି । ଏମିତି ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

 

Share