ଯୁକ୍ତ୨ ଶିକ୍ଷାନୁଷ୍ଠାନ ପୃଥକୀକରଣ ତ୍ୱରାନ୍ବିତ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ଯୁକ୍ତ୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଯୁକ୍ତ୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଡିଗ୍ରୀ କଲେଜରୁ ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତି। ଏହି ପୃଥକୀକରଣ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବୁଧବାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଇତି ମଧ୍ୟରେ କେତେକ ସ୍ଥାନରେ ଯୁକ୍ତ୨ ଓ ଡିଗ୍ରୀ କଲେଜ ପୃଥକ ଭାବରେ କାର୍ଯ୍ୟ କରୁଛି। ତେବେ ଉଚ୍ଚଶିକ୍ଷା ବିଭାଗର ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଯେଉଁମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସ୍ଥାପିତ ହୋଇ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପର୍ଯ୍ୟାୟକ୍ରମେ ଉଚ୍ଚଶିକ୍ଷା ବିଭାଗକୁ ଫେରାଇ ନିଆଯିବ। ଯୁକ୍ତ୨ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ନ ହେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଭିନ୍ନ ପଦବୀ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

Share