ପାଟଣା,୨୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର କନ୍ୟା ଓ ବାଲ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ଭାଗ୍ୟଶ୍ରୀ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖବରଦାତା ବୀର କିଶୋର ଦାଶ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥିମାନେ କିଶୋରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ନେଇ ମତବ୍ୟକ୍ତ କରିଥିଲେ। ଡା. ପରିଡ଼ା କିଶୋରୀମାନଙ୍କ ଶାରୀରିକ ସମସ୍ୟା ଓ ସମସାମୟିକ ସମାଜରେ ନିଜକୁ କିଭଳି ସୁରକ୍ଷିତ ରଖିବେ ତାହାରି ଉପରେ ବିଜ୍ଞାନସମ୍ମତ ଦିଗ୍ଦର୍ଶନ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନର ବାଲ୍ ଶିବିରରେ ମୁଖ୍ୟ ଅତିଥି ଭାବେ ଖବରଦାତା ଦାଶ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟର ଡେମନ୍ଷ୍ଟ୍ରେଟର ମଦନମୋହନ ମହାନ୍ତ ଯୋଗଦେଇ ବାଳକମାନଙ୍କ ସାମଗ୍ରିକ ବିକାଶ ଉପରେ ଦିଗ୍ଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମକୁ ଗୁରୁମା’ ସସ୍ମିତା ଦାଶ, ରେବତୀ ତ୍ରିପାଠୀ, ସବିତା ମହାନ୍ତ, ତ୍ରିବେଣୀ ମହାନ୍ତ, ହୀରାଲାଲ ମହାନ୍ତ, ବେଣୁଧର ମହାନ୍ତ, ସନ୍ତୋଷ ବେହେରା ପ୍ରମୁଖ ପରିଚାଳନା କରିଥିଲେ।