ନବରଙ୍ଗପୁର,୨୬।୮(ବି.ପ୍ର.): ନବରଙ୍ଗପୁର ଜିଲା ମକା ଉତ୍ପାଦନରେ ସାରା ଭାରତ ବର୍ଷରେ ନାଁ କରିଛି। କୃଷି ବିଭାଗର ଆକଳନ ଅନୁଯାୟୀ ଜିଲାରେ ୬୦ ହଜାର ହେକ୍ଟର ଜମିରେ ଚଳିତ ବର୍ଷ ମକା ଚାଷ ହୋଇଥିବା ସୂଚନା ମିଳିଛି। ଜଙ୍ଗଲ ଜମିରେ ମକାଚାଷକୁ ଆଧାର କଲେ ଏହାର ପରିମାଣ ଅଧିକ ହେବ। ମକା ଚାଷ ଯୋଗୁ ଜିଲାରେ ଠିକଣା ସମୟରେ ଚାଷିଙ୍କୁ ୟୁରିଆ ଅଭାବ ଦେଖା ଦେଉଛି। ମକା ଗଛ ଅଧିକ ସାର ଗ୍ରହଣ କରିଥାଏ। ଅନ୍ୟ ପକ୍ଷରେ ଜଙ୍ଗଲ ଜମିରେ ମକା ଚାଷ ପାଇଁ ବିଭିନ୍ନ ଗାଁ ଗହଳିରେ ସାହୁକାରମାନେ ବିହନ, ସାର ଯୋଗାଇବା ସହ ଜଙ୍ଗଲ ମୂଳକର ଚାଷିଙ୍କୁ ଆର୍ଥିକ ସହାୟତା ଯୋଗାଉଛନ୍ତି। ଅମଳ ହେଲେ ସାହୁକାର ଚାଷୀଙ୍କଠାରୁ କମ୍ ମୂଲ୍ୟରେ ମକା କିଣି ଲାଭବାନ ହେଉଛନ୍ତି। ଜଙ୍ଗଲ ଜମି ଅଞ୍ଚଳରେ ମକା ଚାଷ ବୃଦ୍ଧି ଘଟିବା ଓ ଜଙ୍ଗଲ ନଷ୍ଟ ହେବାର ଏହା ଏକ ମୁଖ୍ୟ କରାଣ ସାଜିଛି ।
ଜଙ୍ଗଲଜମି ସତ୍ତ୍ୱାଧିକାର ଆଇନ ଆସିବା ପରେ ପଟ୍ଟା ପାଇବା ଓ ଜମି ଅକ୍ତିଆର ପାଇଁ ମଧ୍ୟ ଜଙ୍ଗଲ କଟିଛି। ବିଶେଷ ଭାବେ ଜିଲାର ରାଇଘର, ଝରିଗାଁ ଓ ଉମରକୋଟ ଅଞ୍ଚଳରେ ଜଙ୍ଗଲ ଅଧିକ ମାତ୍ରାରେ ନଷ୍ଟ ହେବାସହ ମକା ଫସଲ ବୃଦ୍ଧି ପାଇଛି। ଉପରୋକ୍ତ ୩ ବ୍ଲକରେ ନିର୍ଦ୍ଧିଷ୍ଟ କେତେକ ରାଜନୈତିକ ଦଳର ଟାଣୁଆ ଲୋକ ଜଙ୍ଗଲ ଜମିରେ ଶତାଧିକ ଏକର ମକା ଚାଷ ପାଇଁ ଅର୍ଥ ଲଗାଇ ବ୍ୟବସାୟ କରୁଛନ୍ତି। ଜଙ୍ଗଲଗୁଡିକର ସୁରକ୍ଷା ପାଇଁ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ଜଙ୍ଗଲ ବିଭାଗ ପକ୍ଷରୁ ସୀମା ଚିହ୍ନଟ କରାଯାଇ ପାରୁ ନାହିଁ। ସେହିଭଳି ସରକାରଙ୍କ ଆଇନ ଓ ନିର୍ଦ୍ଦେଶ ପରେ ଜଙ୍ଗଲ ଜମି ସତ୍ତ୍ୱାଧିକାର ନିୟମ ଅନୁଯାୟୀ ଦଖଲ ଚାଷୀକୁ ପଟ୍ଟା ପ୍ରଦାନ କରାଯାଇଛି। ସେମାନଙ୍କୁ ତାଙ୍କର ଜମି ପରିସୀମା ଚିହ୍ନଟ କରାଯାଇ ପାରୁନାହିଁ। ଜଙ୍ଗଲ ଜମିରେ ପଟ୍ଟାପାଇ ବସତି ସ୍ଥାପନ କରିଥିବା ଗାଁକୁ ରାସ୍ତା, ପାନୀୟଜଳ, ବିଦ୍ୟୁତ୍ ସଂଯୋଗୀକରଣ ହୋଇପାରୁନାହିଁ। ଗାଁକୁ ଶିକ୍ଷା ବ୍ୟବସ୍ଥା ମଧ୍ୟ ଦୂରେଇ ଯାଉଛି। ଶିକ୍ଷା ଓ ସଚେତନ ଅଭାବରେ ଅନେକ କିଛି ହରାଇ ବସୁଛନ୍ତି ବନବାସୀ। ଦୀର୍ଘ ୧୫ ବର୍ଷ ହେବ ଜିଲାରେ ଜଙ୍ଗଲ ଜମି ବିବାଦ କୌଣସି ନା କୌଣସି ଗାଁରେ ଲାଗି ରହିଛି। ମୁଖ୍ୟ କାରଣ ହେଉଛି ସୀମା ଚିହ୍ନଟ । ଜଙ୍ଗଲ, ରାଜସ୍ବ ବିଭାଗ ଓ ପ୍ରଶାସନ ପକ୍ଷରୁ ଏ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। ଜିଲା ପ୍ରଶାସନ ନିଜ ଅଧୀନରେ ଥିବା ସମସ୍ୟା ସମାଧାନ କରି ସରକାରଙ୍କ ଅଧୀନରେ ରହିଥିବା କାର୍ଯ୍ୟକୁ ତୁରନ୍ତ ସୁପାରିଶ କରିବା ସହ ରାଜ୍ୟ ସରକାର ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଲେ ଜିଲାରେ ଲାଗି ରହିଥିବା ଜଙ୍ଗଲ ଜମି ବିବାଦର ଆଶୁ ସମାଧାନ ହୋଇପାରିବ। ଅନ୍ୟ ପକ୍ଷରେ ସାହୁକାରଙ୍କ ଅର୍ଥ ଲଗାଣ ଉପରେ ରୋକ ଲଗାଗଲେ ଜଙ୍ଗଲ ଜମିରେ ମକା ଚାଷ ଦିନକୁ ଦିନ ବୃଦ୍ଧି ପାଇବା ଓ ଜଙ୍ଗଲ ନଷ୍ଟ ହେବା କମିବ ବୋଲି ମତ ମିଳୁଛି।