ପୁରୀ ଅଫିସ,୨୩ା୭: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍ଡିସି) ଅନିଲ କୁମାର ସାମଲ ବୁଧବାର ପୁରୀ ଜିଲା କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଆୟୋଜିତ ସମୀକ୍ଷା ବୈଠକରେ ଆର୍ଡିସି ସାମଲ ଜିଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହେବା ସହ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଖାଦ୍ୟର ମାନ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ଜିଲାପାଳ ବଲୱନ୍ତ ସିଂ ଜିଲାରେ କୋଭିଡ୍ ସ୍ଥିତି, କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର, କୋଭିଡ୍ କେୟାର ସେଣ୍ଟର, କୋଭିଡ୍ କେୟାର ହୋମ୍, ଗ୍ରାମ୍ୟସ୍ତରୀୟ କରୋନା ପରିଚାଳନା କମିଟି ଗଠନ ସମ୍ପର୍କରେ ଜଣାଇଥିଲେ। ସେହିପରି ଜିଲାର ସହରାଞ୍ଚଳ ବସ୍ତିରେ କରୋନା ନିୟନ୍ତ୍ରଣ ପାଇଁ ଟେଷ୍ଟିଂ ଏବଂ କରୋନା କେୟାର ମନିଟର ଭାବେ ସ୍ବେଚ୍ଛାସେବୀ ମୁତୟନ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ ଓ ସୁବାସ ଚନ୍ଦ୍ର ନାଥଶର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।