Categories: ବାଣିଜ୍ୟ

ଗୋଷ୍ଠୀ କୈନ୍ଦିକ ଜଳବାୟୁ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୬।୯ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଭୁବନେଶ୍ୱର ଏକ ଘରୋଇ ହୋଟେଲରେ ‘ଆଇଡିଏଟ୍‌ର ୧୩ତମ ସଂସ୍କରଣ ଆୟୋଜିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଦସରା ସହଭାଗିତାରେ ବିଆଇପିଏଫ୍‌ର ବାର୍ଷିକ ସମ୍ମିଳନୀ (ଆଇଡିଏଟ୍‌-୨୦୨୪) ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ‘ଉତ୍କଳ ଉଦ୍ୟମ: ଜଳବାୟୁ ସ୍ଥାୟିତ୍ୱ ପାଇଁ ଗୋଷ୍ଠୀ କୈନ୍ଦିକ ବିକାଶ’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଆଲୋଚନାଚକ୍ରରେ ବିଶେଷଜ୍ଞମାନେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆହ୍ବାନଗୁଡ଼ିକର ସମାଧାନ ଓ ଜଳବାୟୁ ଅନୁକୂଳନ ଉପରେ ବିସ୍ତୃତ ଭାବେ ଗୁରୁତ୍ୱାରୋପ କରିଥିବାବେଳେ ତୃଣମୂଳସ୍ତରରେ ଲୋକମାନଙ୍କୁ ସଶକ୍ତ କରିବା ନିମନ୍ତେ ରୂପାନ୍ତରିତ ରଣନୀତିର ଅନ୍ବେଷଣ ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ନୀତି ପ୍ରସ୍ତୁତକର୍ତ୍ତା ଓ ନେତୃମଣ୍ଡଳୀକୁ ଏ ଦିଗରେ ବିଚାର କରିବାକୁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି।
ଏ ସମ୍ପର୍କରେ ବିଆଇପିଏଫ୍‌ର ଟ୍ରଷ୍ଟି ତଥା ସିଇଓ ଶୈଫାଳିକା ପଣ୍ଡା ସ୍ବାଗତ ଅଭିଭାଷଣ ସହ ଜଳବାୟୁ ସ୍ଥାୟିତ୍ୱ ପାଇଁ ଗୋଷ୍ଠୀ ଗଠନରେ ଅନ୍ତର୍ଭୁକ୍ତକାରୀ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅପରପକ୍ଷରେ ବୋଷ୍ଟନ୍‌ ୟୁନିଭର୍ସିଟି ଫର୍‌ ଗ୍ଲୋବାଲ ସଷ୍ଟେନେବିଲିଟିର ନିର୍ଦ୍ଦେଶକ ବେଞ୍ଜାମିନ ସୋଭାକୁଲ କହିଥିଲେ, ଏସିଆ ମହାଦେଶର ଲୋକମାନେ ପ୍ରକୃତି ଆଧାରିତ, ସଂସ୍ଥାଗତ ଓ ସୂଚନାମତ୍କ ଜଳବାୟୁ ଅନୁକୂଳନର ନୂତନ ଓ ଅଭିନବ ସ୍ବରୂପକୁ ସଞ୍ଚାଳିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ସେହିଭଳି ଏହି ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ରେନ୍‌ମେଟର ଫାଉଣ୍ଡେଶନର ସିଇଓ ସମୀର ସିସୋଡିଆ, ମାକଆର୍ଥର୍‌ ଫାଉଣ୍ଡେଶନ ଡେପୁଟି ଡାଇରେକ୍ଟର (ଭାରତ) ଜର୍ନେଲ ସିଂ, ସ୍କୋରାଟସ୍‌ ଫାଉଣ୍ଡେଶନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦେବଜିତ୍‌ ମିତ୍ରା,ସମ୍ଭବର ସହ-ପ୍ରତିଷ୍ଠାତା ପଦ୍ମଶ୍ରୀ ସାବରମତି ଏବଂ ସମ୍ବାଦ ଗ୍ରୁପ୍‌ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ସାମିଲ ଥିଲାବେଳେ ଦସରା କ୍ଲାଇମେଟ୍‌ ରାଇଜ୍‌ର ନିର୍ଦ୍ଦେଶିକା ପର୍ନଶା ବାନାର୍ଜୀ ଏହି ଆଲୋଚନାଚକ୍ର ପରିଚାଳନା କରିଥିଲେ। ସେହିପରି ଏହି ଆଲୋଚନାଚକ୍ରର ୨ୟ ଅଧିବେଶନରେ ମହିଳା ହାଉସିଂ ଟ୍ରଷ୍ଟର ନିର୍ଦ୍ଦେଶିକା ବିଜଲ ବ୍ରହ୍ମଭଟ୍ଟ ଏବଂ ଜଳବାୟୁ ଚାମ୍ପିୟନ୍‌ ମଧୁସ୍ମିତା ପରିଡ଼ାଙ୍କ ମଧ୍ୟରେ ଜଳବାୟୁ ସ୍ଥାୟିତ୍ୱକୁ ନେଇ ଏକ ସରଗରମ ଆଲୋଚନା ହୋଇଥିଲାବେଳେ ୟୁଏନ୍‌ଡିପି ଇଣ୍ଡିଆ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ଡ. ଆଭା ମିଶ୍ର ଉକ୍ତ ଆଲୋଚନାଚକ୍ର ପରିଚାଳନା କରିଥିଲେ।

Share