Categories: ବାଣିଜ୍ୟ

ସାମଗ୍ରିକ ବିକାଶକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୦।୭: ଟାଟା ଷ୍ଟିଲ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ୍‌)ର କର୍ମଚାରୀମାନେ ନିକଟରେ ରିତ୍ୱିକ ଆଭା ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଡିଭାଇନ୍‌ ଚାଇଲ୍‌ଡ ଇଣ୍ଟିଗ୍ରାଲ୍‌ ସ୍କୁଲ୍‌ ଫର୍‌ ସ୍ପେଶିଆଲ ଚିଲଡ୍ରେନ (ଭିନ୍ନକ୍ଷମ ପିଲା)ଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଏପରିକି କମ୍ପାନୀର କର୍ମଚାରୀମାନେ ଉକ୍ତ ସଂସ୍ଥାକୁ ଏକ ସିଲେଇ ମେଶିନ୍‌ ଓ ଶିକ୍ଷା ସାମଗ୍ରୀ ପ୍ରଦାନ କରିଛନ୍ତି, ଯାହାକି ପିଲାମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂତନ କୌଶଳ ଏବଂ ସୁଯୋଗ ସହିତ ସଶକ୍ତ କରିବ। ସେହିଭଳି ଉକ୍ତ ବିଦ୍ୟାଳୟ ସ୍ବତନ୍ତ୍ର ଶିକ୍ଷା ସହିତ ବୃତ୍ତିଗତ, ଚେତନା ସମ୍ବନ୍ଧୀୟ ସମନ୍ବୟ, ବକ୍ତବ୍ୟ ଅଭ୍ୟାସ ଭଳି ନିୟମିତ କାର୍ଯ୍ୟକ୍ରମ ମାଧ୍ୟମରେ ଭିନ୍ନକ୍ଷମ ପିଲାମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ଦିଗରେ କାର୍ଯ୍ୟ କରୁଛି। ବିଶେଷ କରି ଭିନ୍ନକ୍ଷମ ପିଲାମାନଙ୍କ ଜୀବନରେ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ଆଣିବା ଏବଂ ସେମାନଙ୍କ ସାମଗ୍ରିକ ବିକାଶରେ ଯୋଗଦାନ ଦେବା ଲାଗି ଟିଏସ୍‌ଏମ୍‌ଏଲ୍‌ର କର୍ମଚାରୀମାନେ ପିଲାମାନଙ୍କୁ ଧନ୍ଦାମୂଳକ କୌଶଳ ଶିଖିବା ପାଇଁ ସେମାନଙ୍କ ସମର୍ଥନ ପ୍ରଦାନ କରିଛନ୍ତି, ଯାହାକି ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହ ଜୀବିକା ନିର୍ବାହ ପାଇଁ ସୁଯୋଗ ତିଆରି କରିବ। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଆମେ ସର୍ବଦା ବିଶ୍ୱାସ କରୁ ଯେ ଯଦି ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମ ପରିବାରର ଅଂଶ ଭାବେ ଭାବିବା ତେବେ ଏହି ପୃଥିବୀ ଆହୁରି ଶ୍ରେଷ୍ଠ ହେବ। ଏପରିକି ଆମ କର୍ମଚାରୀମାନଙ୍କ ପ୍ରୟାସ ହେଉଛି, ଏହି ଦିଗରେ ଏକ ପଦକ୍ଷେପ। ଆମେ ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଲୋକମାନଙ୍କ ମୁହଁରେ ହସ ଆଣିବା ପାଇଁ ଆମ ପ୍ରୟାସକୁ ଆଗାମୀ ଦିନରେ ମଧ୍ୟ ଜାରି ରଖିବୁ।

Share