Categories: ବାଣିଜ୍ୟ

‘ମେଳା ଜରିଆରେ କର୍ମଯୋଗାଣକୁ ଗୁରୁତ୍ୱ’

ଭୁବନେଶ୍ୱର,୨୮।୧୧: ରାଜ୍ୟ ପ୍ରମୁଖ ହସ୍ତତନ୍ତ ସଂସ୍ଥା ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି। ବିଶେଷକରି ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ ସମ୍ବଲପୁରୀ ବସ୍ତ୍ରାଳୟ ହ୍ୟାଣ୍ଡଲୁମ୍‌ କୋ-ଅପରେଟିଭ ସୋସାଇଟି ଲିମିଟେଡ୍‌ର ମିଳିତ ସହଯୋଗରେ ସ୍ଥାନୀୟ ଏକାମ୍ର ହାଟ ପରିସରରେ ‘ସ୍ବତନ୍ତ୍ର ହସ୍ତତନ୍ତ ମେଳା-୨୦୨୨’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣା ସାହୁ, ବିଭାଗୀୟ ସ୍ବତନ୍ତ୍ର ସଚିବ ସରୋଜ ପଟେଲ,ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସଭାପତି ସମ୍ବିତ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସେହିଭଳି ରାଜ୍ୟରେ ଥିବା ବିଭିନ୍ନ ହସ୍ତତନ୍ତ ସମିତି, ସ୍ବୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି ସହ ବୁଣାକାରମାନଙ୍କୁ ନିୟମିତଭାବେ କାମ ଯୋଗାଇଦେବା ନିମନ୍ତେ ବିଭାଗ ଗୁରୁତ୍ୱ ଦେଇଆସିଛି। ଏପରିକି ବିଭାଗ ଦ୍ବାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏହି ମେଳା ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ୩୪ଟି ଦେୟମୁକ୍ତ ଷ୍ଟଲ ମଧ୍ୟ ଉକ୍ତ ବ୍ୟବସାୟୀଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଉତ୍ପାଦିତ ହସ୍ତତନ୍ତ ଲୁଗା ଉପରେ ଗ୍ରାହକମାନଙ୍କୁ ପ୍ରାୟ ୩୦%ର (୧୦%+୨୦%)ର ସରକାରୀ ରିହାତି ମଧ୍ୟ କ୍ରୟ ଉପରେ ପ୍ରଦାନ କରାଯାଉଛି। ଏହି ମେଳା ଡିସେମ୍ବର ୧୪ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଉକ୍ତ କାର୍ଯ୍ୟକ୍ରମକୁ ସମିତିର ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ସଂଯୋଜନା କରିଥିଲେ।

 

Share