Categories: ବାଣିଜ୍ୟ

ଗୁଣାତ୍ମକ ରୋଗୀ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୫।୯ (ଅଭୟ ଦାଶ): ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ରାୟପୁର ଛତିଶଗଡ ପକ୍ଷରୁ ବିଶ୍ୱ ଗୋଲାପ ଦିବସ (ଓ୍ବାର୍ଲଡ ରୋଜ୍‌ ଡେ) ପାଳିତ ହୋଇଯାଇଛି। ବିଶେଷ କରି କ୍ୟାନସର ରୋଗୀଙ୍କ ମନରେ ଉତ୍ସାହ ଭରିଦେବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଏପରିକି ଏହି ଅବସରରେ ବିଏମସି ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ କ୍ୟାନସର ସଚେତନତା ସୃଷ୍ଟି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଏହାଦ୍ୱାରା କ୍ୟାନସର ବିରୋଧରେ ସଂଗ୍ରାମ କରୁଥିବା ଲୋକଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହୋଇଥିଲା।

ସେହିଭଳି ବିଶ୍ୱ ଗୋଲାପ ଦିବସ ଅନ୍ତର୍ଜାତୀୟସ୍ତରରେ ପାଳନ କରାଯାଇଥାଏ, ଯାହା ଆଜି ରୋଗୀମାନଙ୍କ ଭିତରେ ଅନ୍ୟତମ ଉତ୍ସାହ ବୋଲି କୁହାଯାଉଛି। କ୍ୟାନସର ରୋଗକୁ ରୋକିବା ଓ ସଫଳତାର ସହ ହ୍ରାସ କରିବା ଲାଗି ଗୁଣାତ୍ମକ ଓ ଉଚ୍ଚମାନର ଚିକିତ୍ସା ଦ୍ୱାରା ଏହା ସମ୍ଭବ ହୋଇପାରେ। ଏ ସମ୍ପର୍କରେ ବିଏମ୍‌ସିର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ କହିଛନ୍ତି, ଆମେ ସମାଜରେ ଏକ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଛୁ। ଏପରିକି ଆମେ ଏହା ବିଶ୍ୱାସ କରୁ ସୁସ୍ଥ ସମାଜ ଓ ରାଷ୍ଟ୍ର ବିକାଶ ସହଯୋଗର ଅଂଶୀଦାର।

କ୍ୟାନସର ରୋଗ ପାଇଁ ଗୁଣାତ୍ମକ ସେବା ଯୋଗାଇବା ଓ ସମାଜକୁ ସୁସ୍ଥ ରଖିବାରେ ଏକ ସକ୍ରିୟ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଆମର ମୂଳ ଉଦ୍ଦେଶ୍ୟ। ସେହିଭଳି ବିଏମସି ମେଡିକାଲ ଡାଇରେକ୍ଟର ଡା. ଭାବନା ଶିରୋହୀ କହିଛନ୍ତି, ବିଶ୍ୱରେ କ୍ୟାନସର ରୋଗୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରୋଜ ଡେ ପାଳନ କରାଯାଇଥାଏ। ବାଲ୍‌କୋ ମେଡିକାଲ ସେଣ୍ଟରରେ ବିଶେଷଜ୍ଞ ଓ ଡାକ୍ତର ତଥା କର୍ମଚାରୀଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ପରିଚାଳିତ ହୋଇଥାଏ। ଏଠାରେ ବିଶ୍ୱଶ୍ରେଣୀୟ ଚିକିତ୍ସା ସେବା ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ହେବ।

Share