ନଦୀର ସୁରକ୍ଷା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୨୭।୯: ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ଏବଂ ବଡକେରା ପଞ୍ଚାୟତ ଜୈବବିବିଧତା ପରିଚାଳନା ସମିତିର ମିଳିତ ଆନୁକୂଲ୍ୟରେ ଗୁରଙ୍ଗ ଗ୍ରାମରେ ବିଶ୍ବ ନଦୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଚେତନତା ବୈଠକରେ ଗୁରଙ୍ଗ ବନ ସୁରକ୍ଷା ସମିତି ସଭାନେତ୍ରୀ ସାଧବାଣୀ ନାଏକ ଅଧ୍ୟକ୍ଷତା କରିଥିଲେ। ବଡକେରା ଜୈବବିବିଧତା ପରିଚାଳନା ସମିତିର ସଭ୍ୟ ବନମାଳୀ ନାଏକ ଏବଂ ନିୟୁଜ ଅନୁଷ୍ଠାନର ସଦସ୍ୟ ସୁବ୍ରତ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନଦୀର ସୃଷ୍ଟି, ଆବଶ୍ୟକତା, ସମସ୍ୟା, ବ୍ୟବହାର ଓ ଚିରନ୍ତନ ସୁପରିଚାଳନା ସମ୍ବନ୍ଧରେ ଆଲୋଚନା କରିଥିଲେ। ନଦୀ ସୁରକ୍ଷାକୁ ଗୁରୁତ୍ୱ ଦେଲେ ନଦୀ ସୁରକ୍ଷିତ ରହିପାରିବ ବୋଲି ଆଲୋଚନା କରିଥିଲେ। ଉପସ୍ଥିତ ସଭ୍ୟାସଭ୍ୟମାନେ ସ୍ଥାନୀୟ ନାଳ ଓ ଝରଣାକୁ ସୁରକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଅନୁଷ୍ଠାନର ଯଶୋବନ୍ତ ସାହୁ, ବନ ସୁରକ୍ଷା ସମିତିର ଅରୁଣ ନାଏକ, ସନ୍ତୋଷ ନାଏକ ଓ ବିଶ୍ବନାଥ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।