Categories: ବାଣିଜ୍ୟ

‘ଗ୍ରାମୀଣ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୮।୨: ଆର୍ସେଲର ମିତ୍ତଲ-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟକୁ ଆଡଭାନ୍ସଡ୍‌ ଲାଇଫ୍‌ ସପୋର୍ଟ (ଏଏଲ୍‌ଏସ୍‌) ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ବିଶେଷ କରି ଗ୍ରାମୀଣ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ଟ୍ରଷ୍ଟକୁ ଉକ୍ତ ଆମ୍ବୁଲାନ୍ସ ଦିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର କର୍ପୋରେଟ ସାମାଜିକ ଦାୟିତ୍ୱବୋଧତା (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ଏବଂ ଝାଡଖଣ୍ଡଠାରେ ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟ କରୁଥିବା ଉକ୍ତ ଟ୍ରଷ୍ଟ (ଏନ୍‌ଜିଓ)କୁ ଏଭଳି ଏକ ଏଏଲ୍‌ଏସ୍‌ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଉକ୍ତ ଆମ୍ବୁଲାନ୍ସଗୁଡିକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେବ ଏବଂ ଏହା ଦ୍ୱାରା ଓଡ଼ିଶା ଓ ଝାଡଖଣ୍ଡର ପ୍ରାୟ ୫୦ଟି ଗ୍ରାମରେ ବସବାସ କରୁଥିବା ବାସିନ୍ଦାଙ୍କୁ ନିଃଶୁଳ୍କ ସେବା ଯୋଗାଇ ଦିଆଯିବ। ସେହିଭଳି ଡାକ୍ତର ଏବଂ ପାରାମେଡିକାଲ୍‌ କର୍ମଚାରୀଙ୍କ ଏକ ଟିମ୍‌ ମଧ୍ୟ ନିୟମିତ ବ୍ୟବଧାନରେ ଉପରୋକ୍ତ ରାଜ୍ୟର ବିଭିନ୍ନ ଗ୍ରାମକୁ ଯାଇ ରୋଗୀମାନଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହେବା ସହ ଉନ୍ନତ ଚିକିତ୍ସା ସୁନିଶ୍ଚିତ କରିବେ। ଏହି ଅତ୍ୟାଧୁନିକ ଆଡଭାନ୍ସଡ୍‌ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସରେ ଆବଶ୍ୟକ ସମସ୍ତ ପ୍ରକାର ଉପକରଣ ଯେପରିକି ଡିଫାଇବ୍ରିଲେଟର, ଭେଣ୍ଟ୍ଟିଲେଟର, ସକ୍ସନ୍‌ ମେଶିନ୍‌, ନେବୁଲାଇଜର, ଅଟୋମେଟିକ୍‌ ବିପି ଆପାରାଟସ୍‌, ହେଡ୍‌ ଇମୋବିଲିଜର, ସର୍ଭିକାଲ କୋଲାର, ଅକ୍ସିଜେନ୍‌ ସିଲିଣ୍ଡର, ପୋର୍ଟେବଲ୍‌ ଏକ୍ସ-ରେ, ଇସିଜି, ପାଥୋଲୋଜି ସେଟଅପ୍‌ ଏବଂ ଅନ୍ୟାନ୍ୟ ଉପକରଣ ରହିଛି। ଉଲ୍ଲେଖଯୋଗ୍ୟ ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ମାଇନିଂ-ଅପରେଶନ୍‌ ମୁଖ୍ୟ ଶରଣାପ୍ପା କାମ୍ବଲି, ସିଏସ୍‌ଆର ମୁଖ୍ୟ ଡ. ବିକାଶ ୟାଦଭେନ୍ଦୁ ବଡବିଲଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ରୁପ୍‌ କୁମାର ସ୍ବାମୀଙ୍କୁ ଉକ୍ତ ଆମ୍ବୁଲାନ୍ସ ହସ୍ତାନ୍ତର କରିଥିଲେ।

Share