Categories: ବାଣିଜ୍ୟ

ହାଇଡ୍ରୋଜେନ୍‌ ଇନ୍ଧନ ବ୍ୟବହାରକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୨୭।୪: ହାଇଡ୍ରୋଜେନ୍‌ ଇନ୍ଧନ ବ୍ୟବହାରକରି ଇସ୍ପାତ ତିଆରି କରିବା ସହ ଇସ୍ପାତ ଶିଳ୍ପର ବିକାଶ କରାଯାଇପାରିବ। ଏପରିକି ଭବିଷ୍ୟତରେ ମଧ୍ୟ ଏହାର ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ ଦ୍ୱାରା ଆୟୋଜିତ ଷ୍ଟିଲ୍‌ ମେକିଂରେ ଭାରତର ଭବିଷ୍ୟତ ଶୀର୍ଷକ ବିଷୟର ଆଲୋଚନାଚକ୍ରକୁ ସମ୍ବୋଧିତକରି ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସ୍‌ପି)ର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା କହିଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ଆୟୋଜିତ ଉକ୍ତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଝା କହିଥିଲେ, ନୂତନ ଜ୍ଞାନକୌଶଳର ବିକାଶ ସହିତ ଇସ୍ପାତ ଶିଳ୍ପରେ କୋଇଲା ଉପରେ ନିର୍ଭରଶୀଳତା ଶୀଘ୍ର ଦୂରହେବ। ସେହିଭଳି ଓଡ଼ିଶା ସରକାରଙ୍କ ପ୍ରଗତିଶୀଳ ଶିଳ୍ପନୀତିକୁ ପ୍ରଶଂସାକରି ସେ କହିଛନ୍ତି, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ଶିଳ୍ପସଂସ୍ଥାଗୁଡ଼ିକ ଦ୍ବାରା ଇସ୍ପାତ ବ୍ୟବହାର ପାଇଁ ପୁଞ୍ଜି ପ୍ରୋତ୍ସାହନ ଦେଇଥାଏ। ସେହିପରି ଜେଏସ୍‌ପି ଦ୍ବାରା ପରିବେଶ ଅନୁକୂଳ ପଦ୍ଧତିରେ ଇସ୍ପାତ ଉତ୍ପାଦନ ସମ୍ପର୍କରେ ସେ କହିଥିଲେ, ଜେଏସ୍‌ପି ଦ୍ବାରା ବ୍ୟବହୃତ କୋଲ୍‌ ଗ୍ୟାସିଫିକେଶନ-ସିଜିପି ପଦ୍ଧତି ଏକ ସଫଳ ଜ୍ଞାନକୌଶଳ। ଏପରିକି ଇସ୍ପାତ ଉତ୍ପାଦନ ପାଇଁ ବ୍ୟବହାର କରାଉଥିବା ସିନ୍ଥେଟିକ ଗ୍ୟାସ୍‌ ସହିତ ଗ୍ୟାସିଫିକେଶନ ଅଏଲ, ଟାର୍‌, ଅମୋନିଆ ଏବଂ ଫିନୋଲ ନାପଥା ଆଦି ଉତ୍ପାଦ ମଧ୍ୟ କୋଲ୍‌ ଗ୍ୟାସିଫିକେଶନ ପଦ୍ଧତିରେ ମିଳିଥାଏ। ଯଦିଓ ଇସ୍ପାତ ଶିଳ୍ପରେ ଅଧିକ ଶକ୍ତି ବ୍ୟବହାର ହୋଇଥାଏ, ତେବେ ଶକ୍ତି ପ୍ରୟୋଗର ଦକ୍ଷତା ବୃଦ୍ଧି ଏବଂ ଅଙ୍ଗାରକାମ୍ଳ ନିର୍ଗମନ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ବିଭିନ୍ନ ଉପାୟ ଆସିଲାଣି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଡ. ବ୍ରହ୍ମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ସେଲ୍‌ର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ପାଣ୍ଡେ, ପୂର୍ବତନ କେନ୍ଦ୍ର ସଚିବ ଅରୁଣ ରଥ, ଓଇଆର୍‌ସିର ପୂର୍ବତନ ଅଧ୍ୟକ୍ଷ ୟୁ.ଏନ୍‌. ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ୧୫୦ରୁ ଅଧିକ ବ୍ୟବସାୟୀ ଏବଂ ବରିଷ୍ଠ ପ୍ରଫେସନାଲ ଅଂଶଗ୍ରହଣ କରିଥିଲେ।

Share