Categories: ବାଣିଜ୍ୟ

ଧନ୍ଦାମୂଳକ ତାଲିମକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧୦।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଓ ୟୁନିସେଫ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍‌-୨୦୨୩ର ୧୨ତମ ସଂସ୍କରଣ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ସଚିବ ବିପିନ୍‌ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ କିଶୋରୀମାନଙ୍କ ନିମନ୍ତେ ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ପାଇଁ ଶିଳ୍ପ ଉପଯୋଗୀ ଧନ୍ଦାମୂଳକ ତାଲିମ ଉପରେ ଗୁରୁତ୍ୱାରୋପ କରିଥିଲେ। ଏପରିକି ସେ କହିଥିଲେ,ଏହା ଜାତୀୟ ଶିକ୍ଷାନୀତି-୨୦୨୦ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ କିଶୋରୀମାନଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ଅର୍ଥନୀତିରେ ସାମିଲ କରାଇବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନକରି ଫିକି ସଭାପତି ତଥା ବିଆଇପିଏଫ୍‌ ଟ୍ରଷ୍ଟି ଶୁଭ୍ରକାନ୍ତ ପଣ୍ଡା କହିଥିଲେ, ଭାରତରେ କିଶୋର ଜନସଂଖ୍ୟା ସମଗ୍ର ବିଶ୍ୱର ବୃହତ୍ତମ ଜନସଂଖ୍ୟାର ପ୍ରତି ୫ ଜଣରେ ଜଣେ ୧୦ ରୁ ୧୯ ବର୍ଷ ମଧ୍ୟରେ। ଯଦି ୪୭% କେବଳ ଯୁବତୀ ହୁଅନ୍ତି ତେବେ ଏହି ବୃହତ୍‌ ମାନବ ସମ୍ବଳର ଉପଯୁକ୍ତ ପ୍ରଶିକ୍ଷଣ ଏବଂ ବୈଷୟିକ ଉତ୍‌ଥାନର ଆବଶ୍ୟକତା ରହିଛି। ତେଣୁ ସେମାନଙ୍କୁ ଆଗାମୀ ଦିନର ଆହ୍ବାନକୁ ସମ୍ମୁଖୀନ ହେବା ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା ପଣ୍ଡା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ର ଭାରତ ପ୍ରତିନିଧି ସିନ୍ଥିଆ ମ୍ୟାକ୍‌କୈଫ୍ରି କହିଥିଲେ, ଯୁବତୀ ଏବଂ କିଶୋରୀମାନଙ୍କ ସଶକ୍ତୀକରଣ ପାଇଁ ବହୁମୁଖୀ ଆବଶ୍ୟକତା ଉପରେ ଦୃଷ୍ଟିଦେବାକୁ ପଡିବ। ଅପରପକ୍ଷରେ ବିଆଇପିଏଫ୍‌ର ଟ୍ରଷ୍ଟି ଶୈଫଳିକା ପଣ୍ଡାଙ୍କ ପୌରୋହିତ୍ୟରେ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାଳିକାମାନଙ୍କ ଜୀବନଚକ୍ର ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

Share