ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି ବିରୋଧୀ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୨।୯(ବ୍ୟୁରୋ):  ବିରୋଧୀ ଦଳଗୁଡିକ କୃଷକଙ୍କ ଅପେକ୍ଷା ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାହା ଦୁଃଖର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଦେଶରେ ବ୍ରିଟିଶ ଯୁଗର ଆଇନକୁ ହଟାଇବା ଏବଂ ଲାଇସେନ୍ସ ରାଜ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ଇଚ୍ଛା ସହ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ସଂସ୍କାରମୂଳକ ପରିବର୍ତ୍ତନ କରି ଦେଶବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରି ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରା କରୁଛନ୍ତି। କଂଗ୍ରେସ ୨୦୧୪ ପରଠାରୁ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ଭଲ ପଦକ୍ଷେପକୁ ବିରୋଧ କରିଆସୁଛି। ନିଜ ପ୍ରତିଶ୍ରୁତିକୁ କଂଗ୍ରେସ ପୂରଣ ନ କରି ନିଜ ଦାୟିତ୍ୱରୁ ଓହରୁଛି । ପାର୍ଲାମେଣ୍ଟରେ କୃଷି ବିଲ୍‌ ପାରିତ ହେବା ଦ୍ୱାରା ବିରୋଧୀଙ୍କ ଚାଷୀ ବିରୋଧୀ ଚେହେରା ପଦାରେ ପଡ଼ିଛି। କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆମ କୃଷକଙ୍କୁ ସ୍ବାଧୀନତା ପ୍ରଦାନ କରିବା ସହ ସଶକ୍ତ କରିବ। ବିରୋଧୀ ଦଳ ପକ୍ଷରୁ ଅନେକ ଚାଷୀଙ୍କ ନେତୃତ୍ୱ ନେଉଥିବା ନେତାଙ୍କ ଦ୍ୱାରା କୃଷି ବିଲ୍‌ ଉପରେ ଅପପ୍ରଚାର ସତ୍ତ୍ବେ ୧୩୦ କୋଟି ଜନତା ପୁଣିଥରେ ମିଥ୍ୟା ପ୍ରଚାରକାରୀଙ୍କ ମୁଖା ଖୋଲିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ା

Share