Categories: ଜାତୀୟ

ଭାଜପା ବିଧାୟକଙ୍କ ଫ୍ଲାଟ୍‌ରେ କର୍ମଚାରୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ,୨୫।୯: ଉତ୍ତରପ୍ରଦେଶର ହଜରତଗଞ୍ଜରେ ଭାଜପା ବିଧାୟକ ଯୋଗେଶ ଶୁକ୍ଲାଙ୍କ ଫ୍ଲାଟ ନମ୍ବର ୮୦୪ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ତାଙ୍କ ମିଡିଆ ସେଲର ଜଣେ କର୍ମଚାରୀ। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। କବାଟ ଭାଙ୍ଗି ଭିତରକୁ ଯାଇ ମୃତଦେହକୁ ଜବତ କରିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ତଦନ୍ତ ଆରମ୍ଭ କରିଛି।
ହଜରତଗଞ୍ଜ ଇନ୍ସପେକ୍ଟର ପ୍ରମୋଦ କୁମାର ପାଣ୍ଡେ କହିଛନ୍ତି ଯେ, ବାରବାଙ୍କି ହାଇଦରଗଡର ବାସିନ୍ଦା ୨୪ ବର୍ଷୀୟ ଶ୍ରେଷ୍ଟ ତିୱାରୀ ବିଧାୟକଙ୍କ ମିଡିଆ ସେଲରେ କାମ କରୁଥିଲେ। ରବିବାର ବିଳମ୍ବିତ ରାତିରେ ସେ ଫ୍ଲାଟରେ ଏକୁଟିଆ ଥିଲେ। ରାତି ପ୍ରାୟ ସାଢେ ୧୧ଟା ବେଳେ ଶ୍ରେଷ୍ଟ ଫାଶୀ ଲଗାଇଥିଲେ। ଏପର୍ଯ୍ୟନ୍ତ କୌଣସି ଆତ୍ମହତ୍ୟା ନୋଟ ଜବତ କରାଯାଇ ନାହିଁ। ଆତ୍ମହତ୍ୟାର କାରଣ ଜଣାପଡିନି। ମୃତକଙ୍କ ସମ୍ପର୍କୀୟଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ଆତ୍ମହତ୍ୟା କରିବା ପୂର୍ବରୁ ଶ୍ରେଷ୍ଟ ଜଣେ ପରିଚିତ କିମ୍ବା ସମ୍ପର୍କୀୟଙ୍କୁ ଡାକି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଶ୍ରେଷ୍ଟ ଯାହାକୁ ଡାକିଥିଲେ ସେ ପୋଲିସ ନିୟନ୍ତ୍ରଣ କକ୍ଷକୁ ଜଣାଇଥିଲେ। ଏହା ପରେ ପୋଲିସ ଦଳ ଫ୍ଲାଟ ନମ୍ବର ୮୦୪କୁ ପଠାଯାଇଥିଲା। ସେତେବେଳକୁ ଭିତର ପଟରୁ କବାଟ ବନ୍ଦ ହୋଇଯାଇଥିଲା। ଯେତେବେଳେ ପୋଲିସ କବାଟ ଭାଙ୍ଗି ଭିତରକୁ ପଶି ଭିତରକୁ ପ୍ରବେଶ କଲା ସେତେବେଳେ ଶ୍ରେଷ୍ଟ ଫାଶୀ ଦେଇଥିବାର ଦେଖିବାକୁ ମିଳିଥିଲା। ପୋଲିସ ତାଙ୍କ ମୋବାଇଲ ଫୋନ ଜବତ କରିଛି।

Share