ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଦ୍ମପୁର,୧୫ା୯(ପ୍ରଶାନ୍ତ କୁମାର କର): ରାୟଗଡ଼ା ଜିଲାର ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ ଦୋକାନରେ କେହି ନଥିବା ବେଳେ ଫ୍ୟାନ୍‌ରେ ଗାମୁଛା ବାନ୍ଧି ଝୁଲି ପଡିଛନ୍ତି। ଯୁବକ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଜଣାପଡ଼ିନାହିଁ।

ସୂଚନା ଅନୁଯାୟୀ ସୁନାରି ଘାଇ ଛକ ନିକଟରେ ଥିବା ବୃନ୍ଦାବନ ପାଢୀଙ୍କ ଫାଷ୍ଟ ଫୁଡ୍ ଦୋକାନରେ ରବିବାର ଦୋକାନ ବନ୍ଦ୍ ଥିବା ବେଳେ ସେଠାରେ କାମ କରୁଥିବା ଭିକାରୀ ପ୍ରଧାନ ନାମକ କମଚାରୀ ଏପରି ପଦକ୍ଷେପ ନେଇଛନ୍ତି। ଦୋକାନ ମାଲିକଙ୍କ ଅନୁପସ୍ଥିତିରେ ଦିନ ୧୨ଟା ସମୟରେ ମାଲିକଙ୍କ ପୁଅ ଭିକାରୀଙ୍କୁ ଖାଇବା ଲାଗି ଡାକିବାକୁ ଦୋକାନକୁ ଆସିଲା ବେଳକୁ ଭିତର ପଟରୁ କବାଟ ବନ୍ଦ ଥିଲା।

ବାରମ୍ବାର ଡାକିବା ପରେ କବାଟ ନ ଖୋଲିବାରୁ ପଛପଟ ଝରକା ଦେଇ ଦୋକାନ ଭିତରେ ପଶିବା ପରେ ଭିକାରି ଫ୍ୟାନ୍‌ରେ ନିଜ ଗାମୁଛା ବାନ୍ଧି ଝୁଲି ପଡିଥିବା ଦେଖି ବାପା ବୃନ୍ଦାବନ ପାଢୀଙ୍କୁ ଖବର ଦେଇଥିଲେ ମାଲିକଙ୍କ ପୁଅ। ଦୋକାନର ମାଲିକ ଖବର ପାଇ ସଙ୍ଗେ ସଙ୍ଗେ ଆସି ଗାମୁଛାକୁ କାଟି ମରତଦେହକୁ ତଳକୁ ଓହ୍ଲାଇଥିବା କହିଛନ୍ତି।

ଖବର ପାଇ ପଦ୍ମପୁର ଆଇଆଇସି ରଞ୍ଜନ କୁମାର ମାଝୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ୍ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଜଣାଇ ଘଟଣାର ତଦନ୍ତ କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିଲା ବେଳେ ମୃତ ଯୁବକଙ୍କ ଘର ସମ୍ବଲପୁରର ହୀରାକୁଦ ଅଞ୍ଚଳର ବୋଲି ଦୋକାନ ମାଲିକ ଜଣକ କହିଛନ୍ତି। ତେବେ ପରିବାର ଲୋକ ଆସିବା ଶବ ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି।