ଚାପ ଯୋଗୁ ଚାକିରି ଛାଡ଼ୁଛନ୍ତି କର୍ମଚାରୀ

ଓ୍ବାଶିଂଟନ୍‌,୧୫।୬: କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପରେ ଚାପ କ୍ରମାଗତ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସେମାନଙ୍କ କାର୍ଯ୍ୟଶୈଳୀ ଉପରେ ପଡ଼ିଛି। ଆମେରିକାର ଆନାଲିଟିକ୍ସ ଆଡ୍‌ଭାଇଜରି କମ୍ପାନୀ ଗଲୁପ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ କର୍ମକ୍ଷେତ୍ରରେ ଚାପ ବଢ଼ିବା ଯୋଗୁ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳୁଛି। ଷ୍ଟ୍ରେସ୍‌ରେ ରହୁଥିବା କର୍ମଚାରୀଙ୍କ ଚାକିରି ଓ ବ୍ୟକ୍ତିଗତ ଜୀବନମଧ୍ୟରେ କେଉଁ ପ୍ରକାର ଅନୁଭୂତି ରହୁଛି, ସେ ସମ୍ପର୍କରେ ଗାଲୁପ ‘ଷ୍ଟେଟ୍‌ ଅଫ୍‌ ଦ ଗ୍ଲୋବାଲ ଓ୍ବାର୍କ ପ୍ଲେସ୍‌ ୨୦୨୩’ରେ ଉଲ୍ଲେଖ କରାଯାଇଛି।
ମୋଟ ୫୯% କର୍ମଚାରୀଙ୍କ ସ୍ଥିତି କ୍ୱାଇଟ୍‌ କ୍ୱିଟିଙ୍ଗରେ ରହିଛି ଅର୍ଥାତ୍‌ ସେମାନେ କୌଣସି ସଂସ୍ଥାରେ କାର୍ଯ୍ୟ କରୁନାହାନ୍ତି। ସେହିପରି ୧୮% ଲାଇଡ୍‌ କ୍ୱିଟିଙ୍ଗ୍‌ ସ୍ଥିତିରେ ଅଛନ୍ତି। ସେମାନେ ହେଲେ ଚାକିରି ଛାଡ଼ିବାକୁ ଥିବା କର୍ମଚାରୀ। ୧୬୦ ଦେଶର ୧,୨୨,୪୧୬ ଜଣ କର୍ମଚାରୀଙ୍କୁ ନେଇ ଉକ୍ତ ସର୍ଭେ କରାଯାଇଛି। ବିଶ୍ୱବ୍ୟାପୀ ପ୍ରତି ୧୦ ଜଣଙ୍କ ମଧ୍ୟରେ ୬ ଜଣ ଚାକିରି ଛାଡ଼ୁଛନ୍ତି। ଚାକିରି ଛାଡ଼ୁଥିବା କର୍ମଚାରୀଙ୍କ ମଧ୍ୟରୁ ୪୧% ଗୋଟିଏ ସଂସ୍ଥା ଛାଡ଼ି ଅନ୍ୟତ୍ର କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେହିପରି ୨୮% ନିଜ ଦରମା ଓ ଲାଭପ୍ରାପ୍ତି ପାଇଁ ଚାକିରି ଛାଡ଼ୁଥିବାବେଳେ ୧୬% କାର୍ଯ୍ୟ ଦକ୍ଷତା ହାସଲ ପାଇଁ କର୍ମକ୍ଷେତ୍ର ପରିବର୍ତ୍ତନ କରୁଥିବା ଜଣାପଡ଼ିଛି। କର୍ମଚାରୀଙ୍କ ଅସନ୍ତୋଷକୁ ଦୂର କରିବା ପାଇଁ କମ୍ପାନୀ ମାଲିକ ପ୍ରତ୍ୟେକ କାର୍ଯ୍ୟରେ ସେମାନଙ୍କ ସହ ଜଡ଼ିତ ରହିବା ଆବଶ୍ୟକ। ଅନ୍ୟପକ୍ଷେ ଅଫିସରେ ସହଯୋଗ ପ୍ରଦର୍ଶନ କରୁଥିବା ମ୍ୟାନେଜରଙ୍କର ମଧ୍ୟ ଆବଶ୍ୟକତା ରହିଛି। ସୁସମ୍ପର୍କ ସ୍ଥାପନ ଦ୍ୱାରା କର୍ମକ୍ଷେତ୍ରର ବାତାବରଣ ଭଲ ରହିବା ସହ କର୍ମଚାରୀ ଚାକିରି ଛାଡ଼ିବା ଅସୁବିଧା ଦୂର କରାଯାଇପାରିବ।

Share