ଟଙ୍କା ନେଉଛନ୍ତି କର୍ମଚାରୀ, କଏଦୀ ଟାଣୁଛନ୍ତି ଗଞ୍ଜେଇ

ଭୁବନେଶ୍ୱର,୧୩ା୫(ବ୍ୟୁରୋ):ଝାରପଡ଼ା ସ୍ବତନ୍ତ୍ର ଜେଲ ପାଲଟିଛି ଅପରାଧୀଙ୍କ ସୁରକ୍ଷିତ ଆଡ୍ଡାସ୍ଥଳ। ସଜା ନୁହେଁ, ଭିତରେ ବିତୁଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଅୟସ ଜୀବନ। ନିଶା ସେବନ ସହ ନାଚଗୀତ ମଉଜ ମଜଲିସ୍‌ ସବୁ କିଛି ଚାଲୁଛି। ମୋବାଇଲ ଫୋନ୍‌ରେ ବି ଅପରାଧ ନିୟନ୍ତ୍ରଣ ହେଉଛି। ଜେଲ ପରିସରରୁ ମୋବାଇଲ୍‌ ଫୋନ୍‌ ମିଳୁଥିବାବେଳେ ଏବେ ଭାଇରାଲ ହୋଇଥିବା ଭିଡିଓ ସାଂଘାତିକ ଗୁମର ପଦାକୁ ଆଣିଛି। ଜେଲ କର୍ମଚାରୀ ଟଙ୍କା ନେଉଥିବା ଓ କଏଦୀମାନେ ଗଞ୍ଜେଇ ଟାଣୁଥିବା ପରି ବହୁ ଦୃଶ୍ୟ ଦେଖିବାକୁ ମିଳୁଛି। ଦୁର୍ଦ୍ଦାନ୍ତ ଅପରାଧୀମାନେ ଟଙ୍କା ବଳରେ ଜେଲ କର୍ମଚାରୀ ଓ ଅଧିକାରୀଙ୍କୁ ନିଜ ହାତ ମୁଠାରେ ରଖି ବାହାରେ ଅପରାଧ ଘଟାଉଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି, ଜେଲ କର୍ମଚାରୀଜଣକ କଏଦୀଙ୍କଠାରୁ ଟଙ୍କା ନେଉଛନ୍ତି କାହିଁକି? ନିଶାଦ୍ରବ୍ୟ ଜେଲ ଭିତରକୁ କାହା ମାର୍ଫତରେ ଯାଉଛି? ଏହାର କଡାକଡି ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।
ଜେଲ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ କଏଦୀଙ୍କଠାରୁ ଜେଲ କର୍ମଚାରୀଜଣକ ପାଚେରି ନିକଟ ଏକ ଗଛ ମୂଳେ ଟଙ୍କା ନେଉଛନ୍ତି। ପରେ କିଛି ବାର୍ତ୍ତାଳାପ କରୁଛନ୍ତି। ଅନ୍ୟ ଏକ ଭିଡିଓରେ କଏଦୀମାନେ କୀର୍ତ୍ତନ କରିବା ସହ ଗଞ୍ଜେଇ ଟାଣୁଛନ୍ତି। ଗଞ୍ଜେଇ ଚିଲମକୁ ଜଣକ ପରେ ଜଣେ ନେବା ସହ ନିଶା ସେବନ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓ ପଣା ସଂକ୍ରାନ୍ତି ଦିନ ରେକର୍ଡ କରାଯାଇଥିବା ଅନୁମାନ କରାଯାଉଛି। ସେହିପରି ତୃତୀୟ ଭିଡିଓରେ ଖୁସିରେ ଭାବବିହ୍ବଳହୋଇ ଜଣକ ପରେ ଜଣେ କଏଦୀ ବିଭିନ୍ନ ଭଙ୍ଗୀରେ ନୃତ୍ୟ କରୁଛନ୍ତି। ଏସବୁ ଭିଡିଓକୁ ଅନ୍ୟ କଏଦୀମାନେ ମୋବାଇଲ୍‌ ଫୋନ୍‌ରେ ରେକର୍ଡ କରିଥିବା କିଛି ବାର୍ତ୍ତାଳାପରୁ ଜଣାପଡୁଛି। ତେବେ କଟକଣା ସତ୍ତ୍ୱେ କଏଦୀଙ୍କ ପାଖକୁ ମୋବାଇଲ୍‌ ଫୋନ୍‌ ଯାଉଥିବାରୁ କର୍ମଚାରୀ ଓ ଅଧିକାରୀଙ୍କ ଭୂମିକାକୁ ଗୁରୁତ୍ୱର ସହ ନେଇଛି ଜେଲ ବିଭାଗ। ଲଗାତର ଭାବେ ଚଢ଼ାଉ ଚାଲିଥିବାବେଳେ ପ୍ରତିଥର ଜେଲ ପରିସରରୁ ମୋବାଇଲ୍‌ ଫୋନ୍‌ ମିଳୁଛି। ବୁଧବାର ମଧ୍ୟ ଚଢ଼ାଉ କରାଯାଇ ଆଉ ୨ଟି ମୋବାଇଲ ଫୋନ ଜବତ କରାଯାଇଛି। ପୂର୍ବରୁ ୧୧ଟି ମୋବାଇଲ ଜବତ କରାଯାଇଥିବାବେଳେ ଏହାକୁ ମିଶାଇ ମୋଟ ୧୩ ଫୋନ୍‌ ମିଳିଲାଣି। ଏନେଇ ପୋଲିସ ତରଫରୁ ଷ୍ଟେଶନ ଡାଏରୀ କରାଯାଇ ମୋବାଇଲଗୁଡ଼ିକର କଲ୍‌ ଡିଟେଲ ରେକର୍ଡ(ସିଡିଆର) ମଗାଯାଇଛି। ସେହିପରି ମୋବାଇଲ ଜେଲ ପରିସରକୁ ଆସିବା ପଛରେ କାହାର ହାତ ଅଛି, ସେନେଇ ଜେଲ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।
ଏ ସମ୍ପର୍କରେ ଜେଲ ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, ପୂର୍ବରୁ କେତେଜଣ ଦୁର୍ଦ୍ଦାନ୍ତ ଅପରାଧୀ ଜେଲରେ ମୋବାଇଲ ଫୋନ ଲୁଚାଇ ରଖିଥିଲେ। ସେଗୁଡିକ ଧୀରେ ଧୀରେ ବାହାରୁଛି। ସେମାନେ ପୁରୁଣା ଭିଡିଓ ଭାଇରାଲ କରି ଭୟ ସୃଷ୍ଟି କରୁଛନ୍ତି। କିନ୍ତୁ ଏବେ ପ୍ରତିଦିନ ଚଢାଉ କରାଯିବ। ମୋବାଇଲ ଫୋନ ଓ ନିଶାଦ୍ରବ୍ୟ ଜେଲ ଭିତରକୁ ଯିବା ପଛରେ କେଉଁ କର୍ମଚାରୀ ବା ଅଧିକାରୀଙ୍କ ହାତ ରହିଛି, ତଦନ୍ତ କରାଯିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟ ଜେଲରେ କଏଦୀ ସଂଖ୍ୟା ଅଧିକ ରହିଛି। ତେଣୁ ଝାରପଡା ଜେଲରୁ ଏବେ କୌଣସି କଏଦୀଙ୍କୁ ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

Share