Categories: ବାଣିଜ୍ୟ

ଘରୋଇ ବ୍ୟାଙ୍କରୁ ମୁହଁ ଫେରାଉଛନ୍ତି କର୍ମଚାରୀ

ଭୁବନେଶ୍ୱର,୩୦ା୧୨(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଚାକିରି ତ୍ୟାଗ ଓ ପରିବର୍ତ୍ତନକାରୀ କର୍ମଚାରୀଙ୍କ ସଂଖ୍ୟା ହାରରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିଛି। କର୍ମଚାରୀଙ୍କ ଘରୋଇ ବ୍ୟାଙ୍କରୁ ଏପରି ମୁହଁ ଫେରାଇ ନେବା ଦ୍ୱାରା  କାର୍ଯ୍ୟ ସମ୍ପାଦନରେ ବିପଦ ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ ୨୦୨୩-୨୪ରେ ବ୍ୟାଙ୍କିଙ୍ଗ୍‌ ଧାରା ଏବଂ ପ୍ରଗତି ଉପରେ ସର୍ବଶେଷ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, କେତେକ ନିର୍ଦ୍ଦିଷ୍ଟ ଘରୋଇ କ୍ଷେତ୍ର ବ୍ୟାଙ୍କ ଏବଂ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କରେ କର୍ମଚାରୀଙ୍କ ଚାକିରି ତ୍ୟାଗ ହାର ଅଧିକ ରହିଛି।
ରିପୋର୍ଟରେ କୁହାଯାଇଛି ଯେ, ୨୦୨୩-୨୪ ମଧ୍ୟରେ ବେସରକାରୀ ବ୍ୟାଙ୍କର ମୋଟ କର୍ମଚାରୀଙ୍କ ସଂଖ୍ୟା ସରକାରୀ କ୍ଷେତ୍ର ବ୍ୟାଙ୍କ (ପିଏସ୍‌ବି) ତୁଳନାରେ ଅଧିକ ହେବ। ମାତ୍ର ଗତ ୩ ବର୍ଷ ମଧ୍ୟରେ ସେମାନଙ୍କ କର୍ମଚାରୀଙ୍କ ଚାକିରି ଛାଡ଼ିବା  ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏହା ହାରାହାରି  ପ୍ରାୟ ୨୫%ରେ ପହଞ୍ଚତ୍ଛି।   ଏଥିରେ କୁହାଯାଇଛି ଯେ ଗ୍ରାହକ ସେବା ବ୍ୟାଘାତ ସମେତ ଏଭଳି ପରିସ୍ଥିତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିପଦ ସୃଷ୍ଟି କରିବାର ଆଶଙ୍କା ବଢ଼ିଯାଇଛି। ଏହା ବ୍ୟତୀତ କର୍ମଚାରୀମାନେ ଅନୁଷ୍ଠାନ ସମ୍ପର୍କିତ ଜ୍ଞାନ ହରାଇବା ସହ ନିଯୁକ୍ତି ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଥାଏ। କର୍ମଚାରୀଙ୍କ ଚାକିରି ଛାଡିବାର ପ୍ରବୃତ୍ତି ହ୍ରାସ କରିବା ପାଇଁ ସ୍ବତନ୍ତ୍ର ରଣନୀତି ଆପଣେଇବା ଜରୁରୀ ବୋଲି ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ସହ ଆଲୋଚନା କରି ଆରବିଆଇ ପରାମର୍ଶ ଦେଇଛି।
ବ୍ୟାଙ୍କଗୁଡ଼ିକ ଉନ୍ନତ ଚୟନ ପ୍ରକ୍ରିୟା, ବ୍ୟାପକ ପ୍ରଶିକ୍ଷଣ ଏବଂ ବୃତ୍ତି ବିକାଶ ସୁଯୋଗ, ପରାମର୍ଶଦାତା କାର୍ଯ୍ୟକ୍ରମ, ପ୍ରତିଯୋଗିତାମୂଳକ ସୁବିଧା ଏବଂ ଦୀର୍ଘସ୍ଥାୟୀ କର୍ମଚାରୀଙ୍କ ଯୋଗଦାନ ପାଇଁ ସହାୟକ କାର୍ଯ୍ୟକ୍ଷେତ୍ର ସଂସ୍କୃତି ଭଳି କୌଶଳ ପ୍ରୟୋଗ କରିବା ଆବଶ୍ୟକ। ଅନ୍ୟପଟେ ସୁନା ଅଳଙ୍କାର ଏବଂ ଅଳଙ୍କାର ବଦଳରେ ଋଣ ପ୍ରଦାନରେ ଦେଖାଯାଇଥିବା ଅନେକ ଅନିୟମିତତାକୁ ଦୃଷ୍ଟିରେ ରଖି ସୁନା ଋଣ ଉପରେ ସେମାନଙ୍କର ନୀତି, ପ୍ରଣାଳୀ ଏବଂ ଅଭ୍ୟାସକୁ ବିସ୍ତୃତ ଭାବରେ ସମୀକ୍ଷା କରିବାକୁ  ଆରବିଆଇ ପରାମର୍ଶ ଦେଇଛି।  ଏହାଦ୍ୱାରା ଏ କ୍ଷେତ୍ରରେ ଦେଖାଯାଉଥିବା ଚିହ୍ନଟ ଏବଂ ଉପଯୁକ୍ତ ପଦକ୍ଷେପଗୁଡିକ ଠିକ ସମୟରେ ଆରମ୍ଭ କରାଯାଇପାରିବ ବୋଲି ଆରବିଆଇ କହିଛି।
Share