Advertisement

ଜୁନାଗଡ଼ ବିଇଓଙ୍କ କାର୍ଯ୍ୟାଳୟ ବିଳମ୍ବରେ ଆସୁଛନ୍ତି କର୍ମଚାରୀ

ଭବାନୀପାଟଣା/ଜୁନାଗଡ଼,୨୮ା୨(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କେତେଜଣ କର୍ମଚାରୀ ମନଇଚ୍ଛା ଅଫିସ ଆସୁଥିବା ଜଣାପଡିଛି। ଅଫିସ ସମୟ ଆରମ୍ଭ ପୂର୍ବାହ୍ନ ୧୦ଟା ହୋଇଥିବାବେଳେ ଏହି କର୍ମଚାରୀମାନେ ୧୧ଟା ପରେ ଅଫିସକୁ ଆସିଥାନ୍ତି। ଶୁକ୍ରବାର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ କୌଣସି ତଥ୍ୟ ପାଇଁ ବିଇଓ ଅଫିସକୁ ଯାଇଥିବା ସମୟରେ ଅଫିସର ଏଷ୍ଟାବ୍ଲିଶମେଣ୍ଟ ସେକ୍ସନରେ କାର୍ଯ୍ୟରତ କର୍ମଚାରୀମାନେ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଆସି ନ ଥିଲେ। ଫଳରେ ଉକ୍ତ ସେକ୍ସନରେ ପଡିଥିବା ଚୌକି ଖାଲି ପଡିଥିବା ଦେଖିବାକୁ ମିଳିଥିଲା। ଏହି ବାବୁମାନେ ପ୍ରାୟ ସବୁଦିନ ଏପରି ବିଳମ୍ବରେ ଅଫିସକୁ ଆସିଥାନ୍ତି ବୋଲି ଅଭିଯୋଗ ହୋଇଛି। ହେଲେ ବିଭାଗ ସାମ୍ନାରେ ବସିଥିବା ବିଇଓ ଏହି ଘଟଣାକୁ କେମିତି ଜାଣିପାରନ୍ତି ନାହଁି ତାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭବାନୀପାଟଣାରୁ ଏହି ବାବୁମାନେ ଏକା ସାଙ୍ଗରେ ଗୋଟିଏ ଗାଡିରେ ଜୁନାଗଡକୁ ଆସୁଥିବାରୁ ବିଳମ୍ବ ହେଉଥିବା କର୍ମଚାରୀଙ୍କଠାରୁ ଜଣାପଡିଛି। ଏ ନେଇ ଜୁନାଗଡ ବ୍ଲକ ଶିକ୍ଷାଧିକାରୀ ତପନ ମାଝୀଙ୍କୁ ପଚାରିବାରୁ ଏଚ୍‌ଆର୍‌ଏମ୍‌ଏସ୍‌ କାର୍ଯ୍ୟ ପାଇଁ ଶୁକ୍ରବାର ସେମାନଙ୍କ ଆସିବା ବିଳମ୍ବିତ ହୋଇଛି। ଆଗକୁ ବିଳମ୍ବ କଲେ କାରଣ ଦର୍ଶାଅ ନୋଟିସ ମାଗିବି ବୋଲି କହିଥିଲେ। କଳାହାଣ୍ଡି ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share