ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଘଟଣ: ମାନସିକ ଚାପ ପ୍ରତିବାଦରେ ଆତ୍ମହତ୍ୟା ଉଦ୍ୟମ କଲେ କର୍ମଚାରୀ

ସମ୍ବଲପୁର,୨୦।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ। ବିଶ୍ୱବିଦ୍ୟାଳୟର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କ ଚାପ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ଦୀନବନ୍ଧୁ। ମଙ୍ଗଳବାର ସକାଳେ କର୍ମଚାରୀଜଣଙ୍କ ହଠାତ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଚାକିରିକୁ ସ୍ଥାୟୀ କରିବା, ଦରମା ବଢ଼ାଇବା ସହ କାମର ଚାପ କମାଇବା ପାଇଁ ଦୀନବନ୍ଧୁ ଆଗରୁ କୂଳପତିଙ୍କୁ ଅନେକ ଥର ଗୁହାରି କରିଥିଲେ। ହେଲେ ତାଙ୍କ ଦାବି ପ୍ରତି କେହି କର୍ଣ୍ଣପାତ ନ କରିବାରୁ ସେ ଏକାଡେମୀର କାଉନସିଲ ବୈଠକ ଚାଲୁଥିବା ସମୟରେ ଏଭଳି କାଣ୍ଡ ଘଟାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୀନବନ୍ଧୁଙ୍କ ଶରୀରର ୯୦ ଭାଗ ପୋଡିଯାଇଥିବା ଜଣାପଡ଼ିଛି ।

ଘଟଣା ନେଇ ଦୀନବନ୍ଧୁ ଙ୍କ ପୁଅ ଅଭିଷେକ କହିଛନ୍ତି, ଯେତେ କହିଲେବି ଶୁଣିଲେନାହିଁ। ଶାରୀରିକ, ମାନସିକ, ଆର୍ଥିକ ଭାବେ ନିର୍ଯାତନା ଦେଲେ। କୋର୍ଟଙ୍କ ଆଦେଶ ବି ମାନିଲେ ନାହିଁ। ଦୀର୍ଘ ଦିନ କେହି ଗୁହାରି ନ ଶୁଣିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଶେଷରେ ସେଲ୍ପ ଡିମୋଲିସନ ପନ୍ଥା ଅବଲମ୍ବନ କରିଛନ୍ତି। ସେ ଘରେ, ବାହାରେ ସବୁବେଳେ ଅନ୍ୟମନସ୍କ ରହୁଥିଲେ। ତାଙ୍କର ଏଭଳି ଅବସ୍ଥା ପାଇଁ କେବଳ ବିଶ୍ୱବିଦ୍ୟାଳୟ ବରିଷ୍ଠ ଅଧିକାରୀ ଦାୟୀ ବୋଲି ସେ କହିଛନ୍ତି । ଜଣେ ତଳିଆ କର୍ମଚାରୀଙ୍କ କଥାକୁ ଗୁରୁତର ଭାବେ ନ ନେବାରୁ ଏଭଳି ଅଭାବନୀୟ ଘଟଣା ଘଟିଗଲା ବୋଲି ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ସମ୍ପାଦକ କହିଛନ୍ତି । କର୍ମଚାରୀ ସଂଘ ଘଟଣାକୁ ଗୁରୁତର ସହ ନେଇଛି ଓ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Share