Categories: ଜାତୀୟ

ସୋସିଆଲ ମିଡିଆରେ ବିଚ୍ଛିନ୍ନତାବାଦର ପ୍ରସାର କରିପାରିବେନି କର୍ମଚାରୀ

ନୂଆଦିଲ୍ଲୀ, ୨୨।୯: ଜମ୍ମୁ-କଶ୍ମୀରର ୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ସୋସିଆଲ୍‌ ମିଡିଆ ବ୍ୟବହାରରେ ନିରଙ୍କୁଶ ସ୍ବାଧୀନତା ହରାଇବେ। ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ରାଜନୀତି କରିପାରିବେ ନାହିଁ, ଆତଙ୍କବାଦୀ ସଂଗଠନର ଡାକରାରେ ବନ୍ଦ ପାଳନ କରିପାରିବେ ନାହିଁ ଏବଂ ଭାରତଠାରୁ ଅଲଗା ହେବାକୁ ଦାବି କରିପାରିବେ ନାହିଁ। ଏହାର ଉଲ୍ଲଂଘନ କଲେ କର୍ମଚାରୀଙ୍କୁ ରାଜ୍ୟ ରାଜକୋଷରୁ ବେତନ ମିଳିବାରେ ସମସ୍ୟା ଦେଖାଦେବ। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏଭଳି ଅନେକ ନିୟମାବଳୀ ଓ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କଲେଣି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ୯୦ ଭାଗରୁ ଊର୍ଦ୍ଧ୍ୱ ସୋସିଆଲ ମିଡିଆ ପ୍ରଚାର ଆଜାଦୀ କଶ୍ମୀର ଏବଂ ଭାରତ ବିରୋଧୀ ଲେଖା ଉପରେ କରାଯାଉଥିବାରୁ କଟକଣା ଲଗାଇବାକୁ ପଡ଼ିଛି। ଫଳରେ ଗତ ୩ ମାସ ମଧ୍ୟରେ ଏଭଳି ପ୍ରଚାର ଯଥେଷ୍ଟ ହ୍ରାସ ପାଇଛି। ୯୦ ଦଶକର ବିଚ୍ଛିନ୍ନତାବାଦର ପ୍ରଚାରକ ଏବଂ ବର୍ତ୍ତମାନ ମଧ୍ୟରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି। ଏବେ ସୋସିଆଲ ମିଡିଆ ପ୍ରଚାର ପ୍ରସାରର ସବୁଠୁ ବଡ଼ ମାଧ୍ୟମ ହୋଇଛି। ସରକାରଙ୍କଠାରୁ ବେତନ ପାଉଥିବା ଅଧିକାଂଶ କର୍ମଚାରୀ ଏହି କାର୍ଯ୍ୟରେ ଲିପ୍ତ ରହିଥିଲେ। କଟକଣା ଯୋଗୁ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜାଦୀର ପ୍ରଚାର କରୁଥିବା ସରକାରୀ କର୍ମଚାରୀମାନେ ସେମାନଙ୍କ ଫେସ୍‌ବୁକ୍‌, ଟୁଇଟର ଓ ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି କିମ୍ବା ବିବାଦୀୟ ପୋଷ୍ଟକୁ ଲିଭାଇ ଦେଇଛନ୍ତି। ଆହୁରି କେତେଜଣ କର୍ମଚାରୀ ଏଭଳି ପ୍ରଚାର ଜାରି ରଖିଛନ୍ତି। ଏହାକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ କଠୋର କଟକଣା ଜାରି ହୋଇଛି। ନୂଆ ନିୟମରେ ଏଭଳି ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପ୍ରକ୍ରିୟାକୁ ସହଜ କରାଯିବା ସହ ସେମାନଙ୍କୁ ପାସ୍‌ପୋର୍ଟ ଇସ୍ୟୁ କରାଯିବନାହିଁ। କେହି ଦୁର୍ନୀତିରେ ଲିପ୍ତ ଥିଲେ କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ରଖିଥିଲେ, ପାସ୍‌ପୋର୍ଟ ଇସ୍ୟୁ ପାଇଁ ମଞ୍ଜୁରୀ ନ ଦେବାକୁ ପୋଲିସକୁ କୁହାଯାଇଛି।

 

Share