ଜେଲକୁ କର୍ମଚାରୀ ନେଇପାରିବେନି ଫୋନ୍‌

ଭୁବନେଶ୍ୱର,୧।୮(ବ୍ୟୁରୋ): ଝାରପଡା ଜେଲ ଭିତରେ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଖଟି କରୁଥିବାର ଏକ ଭିଡିଓ ନିକଟରେ ଭାଇରାଲ ହୋଇଥିଲା। ଏହା ପୂର୍ବରୁ କଏଦୀମାନେ ମୋବାଇଲ୍‌ ଫୋନ୍‌ରେ କଥା ହେବା ଓ ଜେଲ ଭିତରକୁ ନିଶାଦ୍ରବ୍ୟ ବାହାରିବା ଘଟଣାକୁ ନେଇ ଅଡୁଆରେ ଫସିଥିଲା ଜେଲ ବିଭାଗ। ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ଏବେ ଚିରାଚରିତ ଢଙ୍ଗରେ କେତେକ କଟକଣା ଲଗାଇଛି ଜେଲ ବିଭାଗ। ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଜେଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନିର୍ଦ୍ଦେଶନାମା ଅନୁସାରେ, ଏଣିକି ଜେଲ ଅଧୀକ୍ଷକଙ୍କ ସମେତ ଓ୍ବାର୍ଡର ଓ ଅନ୍ୟ କର୍ମଚାରୀ ଜେଲ ଭିତରକୁ ମୋବାଇଲ୍‌ ଫୋନ୍‌ ନେବେ ନାହିଁ। ଜେଲ ଭିତରକୁ ପ୍ରବେଶ ପୂର୍ବରୁ ଗେଟ୍‌ ଓ୍ବାର୍ଡନଙ୍କ ନିକଟରେ ମୋବାଇଲ୍‌କୁ ଜମା କରିବେ। ଏହାପରେ ଯଦି କୌଣସି ଭିଡିଓ ଭାଇରାଲ ହେଉଥିବା ନଜରକୁ ଆସିବ ଜେଲ୍‌ ଅଧୀକ୍ଷକ ଥାନାରେ ଅଭିଯୋଗ କରିବା ସହ ତାହାକୁ ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ପଠାଇବେ। ଏହା ସହ ଜେଲ ଭିତରକୁ ପ୍ରବେଶ ପୂର୍ବରୁ ସମସ୍ତଙ୍କୁ କଡାକଡ଼ି ଯାଞ୍ଚ କରାଯିବ। ଜେଲ କର୍ମଚାରୀଙ୍କୁ ପ୍ରତିଦିନ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ନିୟମିତ ଯାଞ୍ଚ କରାଯାଇ ରେଜିଷ୍ଟରରେ ତାହାକୁ ଲିପିବଦ୍ଧ କରାଯିବ। ଜେଲରୁ କୋର୍ଟକୁ ଯାଉଥିବା ସମସ୍ତ କଏଦୀ ଓ ଆସୁଥିବା ନୂଆ କଏଦୀଙ୍କୁ ମଧ୍ୟ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ନିୟମିତ ଯାଞ୍ଚ ହେବ। ବାହାରୁ ଜେଲ ପରିସରକୁ ଯେପରି ମୋବାଇଲ୍‌ ଫୋନ୍‌ ଫିଙ୍ଗା ନ ଯିବ ତାହା ଉପରେ ନଜର ରଖି ପଦକ୍ଷେପ ନେବାକୁ କୁହାଯାଇଛି। ଏଥିପାଇଁ ଜେଲର ସମସ୍ତ କାନ୍ଥ ନିକଟରେ ଦୁଇଟି ସିଫ୍ଟରେ ସୁରକ୍ଷାକର୍ମୀ ଜଗିବେ। ଜେଲ ଭିତରେ ସମସ୍ତ କ୍ୟାମେରା କାର୍ଯ୍ୟ କରୁଛି କି ନାହିଁ ତାହାକୁ ଜେଲ ଅଧୀକ୍ଷକ ନିୟମିତ ଯାଞ୍ଚ କରିବେ। ସେହିଭଳି ନିଶା ତଥା ଅନ୍ୟ ନିଷେଧ ସାମଗ୍ରୀ ଯେପରି ଭିତରକୁ ନ ଯିବ ସେଥିପାଇଁ ଜେଲ ଖୋଲିବା ପୂର୍ବରୁ କର୍ମଚାରୀମାନେ ସକାଳେ ପୂରା ପରିସରକୁ ଯାଞ୍ଚ କରିବେ। ଯେଉଁ କଏଦୀଙ୍କଠାରୁ ନିଷେଧ ସାମଗ୍ରୀ ମିଳିବ ତାଙ୍କୁ ଅଲଗା ସେଲ୍‌ରେ ରଖାଯାଇ ନିୟମିତ ଯାଞ୍ଚ କରାଯିବ। ନିର୍ଦ୍ଦେଶନାମା ଉଲ୍ଲଂଘନ କରୁଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି କଏଦୀଠାରୁ ନିଷେଧ ସାମଗ୍ରୀ ଚିହ୍ନଟ କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ। ଅବହେଳା କଲେ ସମ୍ପୃକ୍ତ ଓ୍ବାର୍ଡନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share