ପାନ୍ଥନିବାସ ଘରୋଇକରଣ ବନ୍ଦ ନ ହେଲେ ଆତ୍ମାହୁତି ଦେବେ କର୍ମଚାରୀ

ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): କରୋନା ଯୋଗୁ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ପର୍ଯ୍ୟଟନ ଭିତ୍ତିଭୂମି ସଜାଡ଼ିବା ପରିବର୍ତ୍ତେ ରାଜ୍ୟର ୫ ପାନ୍ଥନିବାସକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରାଯାଉଛି। ଏଭଳି ଅଭିଯୋଗ ନେଇ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘରୋଇକରଣ ନ କରିବା ପାଇଁ ଦାବି କରି ଆସିଛି। କିନ୍ତୁ ବାରମ୍ବାର ବିରୋଧ ସତ୍ତ୍ବେ ଆଲୋଚନା କିମ୍ବା ପୁନର୍ବିଚାର କରାଯାଉ ନ ଥିବାରୁ ସମ୍ପୃକ୍ତ ପାନ୍ଥନିବାସର କର୍ମଚାରୀମାନେ ତୀବ୍ର ବିରୋଧ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗୋପାଳପୁର ପାନ୍ଥନିବାସ, ତପ୍ତପାଣି ପାନ୍ଥନିବାସ, ଧଉଳି ପାନ୍ଥିକା, ଭଦ୍ରକ ଓ ବାଲେଶ୍ବର ପାନ୍ଥନିବାସର କର୍ମଚାରୀମାନେ ସଂଘ ଜରିଆରେ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଘରୋଇକରଣ ପ୍ରସ୍ତାବର ପ୍ରତିବାଦ କରିଛନ୍ତି। ଯଦି ଏହାର ପୁନର୍ବିଚାର କରାଯାଇ ଘରୋଇକରଣ ଯୋଜନାକୁ ସ୍ଥଗିତ କରା ନ ଯାଏ ତେବେ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର କହିଛନ୍ତି, ଅବସର ବିନୋଦନ ନିମନ୍ତେ ପାନ୍ଥନିବାସ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତଙ୍କ ପ୍ରଥମ ପସନ୍ଦ ରହିଆସିଛି। ୨୦୦୩-୦୪ରୁ ରାଜ୍ୟର ସମସ୍ତ ପାନ୍ଥନିବାସ ନିୟମିତ ଲାଭରେ ଚାଲିଛି। ୨୦୧୯-୨୦ ସୁଦ୍ଧା ଲାଭ ୩୦ କୋଟିରେ ପହଞ୍ଚତ୍ଛି। ପାନ୍ଥନିବାସ ପରିଚାଳନା କରୁଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ୨୦୧୮-୧୯ରେ ସରକାରଙ୍କୁ ୨କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଏସବୁସତ୍ତ୍ବେ ୫ଟି ପାନ୍ଥନିବାସକୁ ହୋଟେଲ ସଂସ୍ଥା ହାତରେ ଟେକି ଦେବା ଚକ୍ରାନ୍ତ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ସଂଘ ସଭାପତି ଶିବାନନ୍ଦ ରାୟ କହିଛନ୍ତି, ଏନେଇ କିଛିଦିନ ତଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ କରିଥିଲୁ। କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ୫ ପାନ୍ଥନିବାସ କର୍ମଚାରୀମାନେ ଏକାଠି ଆତ୍ମାହୁତି ଦେବେ ବୋଲି ସେ କହିଛନ୍ତି।

Share