ଇସଲାମାବାଦ,୪ା୬: ଆଜିକାଲି ପାକିସ୍ତାନ ଖରାପ ଅର୍ଥନୈତିକ ପରିସ୍ଥିତି ଦେଇ ଗତି କରୁଛି। ଅତ୍ୟାବଶ୍ୟକ ଅଭାବ ପୂରଣ ପାଇଁ ପ୍ରତିଦିନ ସଂଘର୍ଷ ସହ ଦେଶର ଲୋକମାନେ ବଞ୍ଚୁଛନ୍ତି। ଏଭଳି ପରିସ୍ଥିତିରେ ପାକିସ୍ତାନ ସରକାରୀ କର୍ମଚାରୀମାନେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ ସେମାନେ କହିଛନ୍ତି, ଇନ୍ଧନ ଏବଂ ବିଦ୍ୟୁତ୍ ହାରରେ ଅହେତୁକ ବୃଦ୍ଧି ହେତୁ ସୋମବାର ସେମାନେ ଦେଶର ଅର୍ଥ ମନ୍ତ୍ରଣାଳୟର ବାହାରେ ଧାରଣାରେ ବସିବେ। ସେମାନଙ୍କର ବେତନ ବୃଦ୍ଧି ପାଇଁ ମଧ୍ୟ ଦାବି କରିଛନ୍ତି।
ଏହି ଘଟଣାରେ ଅଲ୍ ଗଭର୍ନମେଣ୍ଟ ଏମ୍ପ୍ଲଇଜ ଗ୍ରାଣ୍ଡ୍ ଆଲାଇନ୍ସର ମୁଖ୍ୟ ସଂଯୋଜକ ରେହମାନ ବାଜଓ୍ବା କହିଛନ୍ତି, କର୍ମଚାରୀମାନଙ୍କୁ ୫୦ ପ୍ରତିଶତ ବେତନ ପ୍ରଦାନ କରାଯିବା ଉଚିତ୍। ଜୁନ୍ ୯ରେ ଆମେ ଏକ ଧାରଣାର ଆୟୋଜନ କରିବୁ। ଯେଉଁଥିରେ ଦେଶର ହଜାର ହଜାର ଶ୍ରମିକ ଅଂଶଗ୍ରହଣ କରିବେ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ସରକାର ପେଟ୍ରୋଲିୟମର ମୂଲ୍ୟ ଲିଟର ପିଛା ୬୦କୁ ବୃଦ୍ଧି କରିଛନ୍ତି। ଯାହା ଦ୍ୱାରା ଅନ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବ। ତେଣୁ ମୁଦ୍ରାସ୍ଫୀତି ହାର ଅନୁଯାୟୀ,ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯିବା ଉଚିତ୍। ଏଥିସହ ବାଜଓ୍ବା କହିଛନ୍ତି, ଆଡ୍-ହକ ରିଲିଫ୍କୁ ଶେଷ କରିବା ଏବଂ ଏହାକୁ ନିୟମିତ ମଜୁରିର ଏକ ଅଂଶ କରିବା ପାଇଁ ସରକାର ଗତ ବର୍ଷର ଚୁକ୍ତିନାମା କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ଶ୍ରମିକମାନେ ସେମାନଙ୍କ ଧର୍ମଘଟ ବନ୍ଦ କରିବେ ନାହିଁ। ସେ କହିଛନ୍ତି, କର୍ମଚାରୀମାନେ ଅଣ-ରାଜନୈତିକ। ଆମର ରାଜନୀତି ସହ କୌଣସି ସମ୍ପର୍କ ନାହିଁ। ଆମେ ଆମର ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇବୁ।