ନିଯୁକ୍ତିର ୩ ଦିନ ପରେ ଶିକ୍ଷକ ବଦଳି

ଖଇରା, ୯।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଅଧୀନ କଳମଚୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିବାର ୩ଦିନ ଭିତରେ ପୁଣି ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ସକାଳେ ଛାତ୍ରୀଛାତ୍ର, ଅଭିଭାବକମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସି ରହିଥିଲେ। ସିଆରସିସି ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଅଭିଭାବକମାନେ ପୁନଶ୍ଚ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସିବାକୁ ନିଷ୍ପତ୍ତି ନେଇଥିବା ପରିଚାଳନା କମିଟି ସଭାପତି ସନ୍ତୋଷ ପାତ୍ର କହିଛନ୍ତି ା
ଅଭିଭାବକଙ୍କ କହିବା ଅନୁଯାୟୀ ବିଦ୍ୟାଳୟରେ ୯୦ଜଣ ପିଲାଙ୍କ ପାଇଁ ୩ଜଣ ଶିକ୍ଷକ ଥିବା ବେଳେ ୧୫ଦିନ ତଳେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଗ୍ରାମବାସୀଙ୍କ ଦାବି ପରେ ୪ତାରିଖରେ ନରହରି ପଣ୍ଡାଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରାଯାଇଥିଲା ା ହେଲେ ୭ ତାରିଖରେ ଶିକ୍ଷକ ନରହରି ପଣ୍ଡାଙ୍କୁ ଅନ୍ୟତ୍ର ବଦଳି କରାଯିବାରେ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯେଉଁ ବିଦ୍ୟାଳୟକୁ ବଦଳି କରାଯାଇଛି ସେଠାରେ ୩୦ଜଣ ପିଲାଙ୍କୁ ୨ଜଣ ଶିକ୍ଷକ ଥିବାବେଳେ ପୁଣି ଜଣେ ଅଧିକ ଶିକ୍ଷକଙ୍କୁ କେମିତି ନିଯୁକ୍ତି ଦିଆଗଲା ବୋଲି ୱାର୍ଡସଭ୍ୟ ରମାକାନ୍ତ ପାତ୍ର, ଅଭିଭାବକ ଅଜିତ ଦାସ କହିଛନ୍ତି। ବଦଳି ବାତିଲ ତଥା ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ସମୟରେ ହୋଇଥିବା ଆର୍ଥତ୍କ ଅନିୟମିତତାର ତଦନ୍ତ ଦାବିରେ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଶୁକ୍ରବାରଠାରୁ ଧାରଣା ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ପ୍ରସାଦ ପାଢୀଙ୍କୁ ଯୋଗାଯୋଗ କରିବାରେ ବର୍ତ୍ତମାନ ସେମାନଙ୍କର ପିଲା ହିସାବରେ ଶିକ୍ଷକ ପଦବୀ ପୂରଣ ହୋଇ ସାରିଛି ା ଯେବେ ଆବଶ୍ୟକତା ପଡିବ ସେତେବେଳେ ଶିକ୍ଷକ ଦିଆଯିବ ବୋଲି କହିଛନ୍ତି ା

Share