ମାଲକାନଗିର,୩।୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ଚାକିରି ନାଁରେ ଯୁବତୀ ଯୁବକଙ୍କୁ ଲକ୍ଷଲକ୍ଷ ଟଙ୍କା ଠକେଇ କରୁଥିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଇତି ମଧ୍ୟରେ ମାଥିଲି ବ୍ଲକ୍ର ଜଣେ ବ୍ୟକ୍ତି ଚାକିରି ମିଳିବା ଆଶାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଠକେଇରେ ପଡିଥିବା ବେଳେ ଏବେ ପୁର୍ନବାର ମାଲକାନଗିରି ଜିଲାର ପ୍ରାୟ ୧୫ରୁ ଅଧିକ ଯୁବତୀ ଯୁବକ ଠକେଇରେ ଶିକାର ହୋଇଛନ୍ତି।
ସୂଚନାଯୋଗ୍ୟ, ମାଲକାନଗିରି ସଦର ମହକୁମାରେ ଦୁଲାଦେଇ ଫାଉଣ୍ଡେଶନ ନାମକ ଏକ ସଂସ୍ଥା ଖୋଲା ଯାଇଥିଲା। ଏହି ସଂସ୍ଥାର ନିର୍ଦ୍ଦେଶକ ସୁରେଶ କୁମାର ପଣ୍ଡା ନାମକ ବ୍ୟକ୍ତି ଏହି ସଂସ୍ଥା ତାଙ୍କ ମା’ଙ୍କ ନାମରେ ଖୋଲିଥିବା କହିବା ସହ ବିଭିନ୍ନ ଫଟୋଚିତ୍ର ଦେଖାଇ ଯୁବତୀ ଯୁବକଙ୍କୁ ଟିପିସିଓଡିଏଲରେ କର୍ମଚାରୀ ଭାବେ ଚାକିରି କରାଇଦେବେ ବୋଲି ଜଣଙ୍କ ପାଖରୁ ୪୦ ହଜାର ଟଙ୍କା ଲେଖାଏ ନେଇଥିଲେ ା ଏଥିସହ ଗ୍ରାମରେ ଆୟୁଷ୍ମାନ ଯୋଜନାରେ ଔଷଧ ବାଣ୍ଟିବା ଭଳି ଚାକିରି ଦେବା କହି ମଧ୍ୟ ଟଙ୍କା ନେଇଥିବା ଜଣାପଡିଛି। ଏ ସମ୍ବନ୍ଧରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଶେଷରେ ଠକେଇରେ ଶିକାର ହୋଇଥିବା ଯୁବତୀ ଯୁବକ କାଲିମେଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଚଳାଇଛି।