Categories: ଜାତୀୟ

ସଂରକ୍ଷଣ ବଢ଼ାଇବା ପାଇଁ ଆଇନ ଅଣାଯାଉ: କଂଗ୍ରେସ

ନୂଆଦିଲ୍ଲୀ,୩୦ା୬:ଶିକ୍ଷାନୁଷ୍ଠାନ ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କ ନିମନ୍ତେ ରହିଥିବା ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ବଢ଼ାଇବା ପାଇଁ ପାର୍ଲାମେଣ୍ଟରେ ଆଇନ ଅଣାଯିବାକୁ କଂଗ୍ରେସ ରବିବାର ଦାବି କରିଛି। ସୂଚନାଯୋଗ୍ୟ, ବିହାର ସରକାର ସଂରକ୍ଷଣ ସୀମାକୁ ୬୫ ପ୍ରତିଶତକୁ ବୃଦ୍ଧି କରିଥିବାବେଳେ, ଏହାକୁ ବଜାୟ ରଖିବା ନିମନ୍ତେ ସମ୍ବିଧାନର ନବମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦିନକ ପୂର୍ବରୁ ଏନ୍‌ଡିଏ ସହଯୋଗୀ ଦଳ ଜେଡିୟୁ ଦାବି କରିଥିଲା। ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ରାୟ ଦେଇଥିଲେ। ତଦନୁଯାୟୀ ବିହାର ସରକାରଙ୍କ କୋଟା ସୀମା ବୃଦ୍ଧି ନିଷ୍ପତ୍ତିକୁ ପାଟନା ହାଇକୋର୍ଟ ନିକଟରେ ରଦ୍ଦ କରିଦେଇଥିଲେ। ଶନିବାର ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସଂରକ୍ଷଣକୁ ସମ୍ବିଧାନର ୯ମ ଅନୁଚ୍ଛେଦରେ ସ୍ଥାନିତ କରିବା ପାଇଁ ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଥିଲା। ଲୋକ ସଭା ନିର୍ବାଚନ ପ୍ରଚାର ବେଳେ ସଂରକ୍ଷଣ ସୀମା ବୃଦ୍ଧି ପାଇଁ ରାଜ୍ୟ ଆଇନଗୁଡ଼ିକୁ ୯ମ ଅନୁଚ୍ଛେଦରେ ରଖାଯିବା ଆବଶ୍ୟକ ବୋଲି ବିରୋଧୀ ଦଳଗୁଡ଼ିକ ନିର୍ବାଚନ ପ୍ରଚାର ବେଳେ କହିଥିଲେ। ଏଥିପାଇଁ ସମ୍ବିଧାନରେ ସଂଶୋଧନ ଆଣିବା ଆବଶ୍ୟକ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ସେଥିପାଇଁ ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ଜରୁରୀ ବୋଲି କଂଗ୍ରେସ କହିଛି।

Share