Categories: ଜାତୀୟ

ଅନନ୍ତନାଗରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୩।୭: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ସଫଳତା ମିଳିଛି। ଅନନ୍ତନାଗ ଜିଲାର ଶ୍ରୀଗୁଫଓ୍ବାରା ଅଞ୍ଚଳରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଆତଙ୍କବାଦୀ ଏଠାରେ ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର ସକାଳ ୬ଟା ୪୦ରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ତେବେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହାପୂର୍ବରୁ ରବିବାର ସୋପୋରସ୍ଥିତ ରେବନଠାରେ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ବନ୍ଦିପୋରାର ଚନ୍ଦରଗିର୍‌ ଏବଂ ସାଧୁନାରାରେ ରବିବାର ସର୍ଚ୍ଚ ଅପରେଶନ ସମୟରେ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଏକେ-୪୭ ରାଇଫଲ, ୨ ଗ୍ରେନେଡ୍‌ ଏବଂ ୨୫ ରାଉଣ୍ଡ ଗୁଳି ଜବତ ହୋଇଥିଲା। ଗତ ଏକମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ୬ ଏନ୍‌କାଉଣ୍ଟରରେ ୧୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି।

Share