Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଜମ୍ମୁ, ୧୧।୯: ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ବସନ୍ତଗଡ଼ ଅଞ୍ଚଳରେ ବୁଧବାର ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ ଚାଲିଥିବାବେଳେ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୩ ମୃତ ଆତଙ୍କବାଦୀ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ‘ଜୈଶ-ଏ-ମହମ୍ମଦ’ ସହ ଜଡ଼ିତ ବୋଲି ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ସେହିପରି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ବିଏସ୍‌ଏଫ୍‌ର ଜଣେ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ସହ ସଂଲଗ୍ନ ସୀମାରେ ଭାରତୀୟ ସେନା ଆଲର୍ଟ ମୋଡରେ ଥିବା ବିଏସ୍‌ଏଫ୍‌ କହିଛି। ଆସନ୍ତା ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଏହାର ଠିକ୍‌ ପୂର୍ବରୁ ସୁରକ୍ଷାବାହିନୀକୁ ସଫଳତା ମିଳିଛି। ଏବେ ମଧ୍ୟ ଆହୁରି ଆତଙ୍କବାଦୀ ବସନ୍ତଗଡ଼ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ ଥିବାରୁ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

Share