Advertisement

ସୀମାନ୍ତରେ ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୩ା୧: ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ ନାମ ହିଡମା ମୁଚାକି। ସେ ଦଣ୍ଡକାରଣ୍ୟ ମାଓ ଡିଭିଜନର ଡିସିଏମ୍‌ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ଚିକପାଲ୍‌ ଏବଂ ମାରଜୁନ୍‌ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ ଧରଣର ଶିବିର ଚାଲିଥିବା ଖବର ପାଇ ଡିଆର୍‌ଜି ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ପୋଲିସ ଆସୁଥିବା ସୂଚନା ପାଇ ମାଓବାଦୀମାନେ ଗୁଳିଚାଳନା କରିଥିଲେ। ପୋଲିସ ମଧ୍ୟ ଏହାର ଜବାବ ଦେଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ପୋଲିସ ଏନ୍‌କାଉଣ୍ଟର କରିଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଗୁଳିର ସାମନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରୁ ସମ୍ପୃକ୍ତ ମାଓବାଦୀଙ୍କ ମୃତଦେହ ସମେତ ବନ୍ଧୁକ, ବିସ୍ଫୋରକ ଓ କେତେକ ମାଓବାଦୀ ସାମଗ୍ରୀ ଜବତ କରିଛି। ସର୍ଚ୍ଚ ଅପରେଶନ ଜାରି ରହିଥିବା ଦାନ୍ତଓ୍ବୋଡା ଏସ୍‌ପି ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share