
ବରଗଡ଼,୨୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରମ ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ରୁ ଦାବି ଜୋର୍ ଧରି ଆସିଛି। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୩ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନାହିଁ। ଏହାକୁ ନେଇ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ବରଗ ସମଲେଶ୍ବରୀ ସଂଘ ଏବଂ ନାଗରିକ ମଞ୍ଚ ନେତୃତ୍ୱରେ ବିଭିନ୍ନ ସଂଗଠନର ଶତାଧିକ ସଭ୍ୟ ଏକ ବିଶାଳ ଶୋଭାଯାତ୍ରାରେ ବରଗ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଉଚ୍ଛେଦ ଦାବିରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ତୁରନ୍ତ ହଟା ନ ଗଲେ ପୌର ପରିଷଦକୁ ଅଚଳକରି ଦିଆଯିବ। ଏହା ସହିତ ଏହି ସ୍ଥାନରୁ ଜବରଦଖଲ ନ ହଟିବା ପର୍ଯ୍ୟନ୍ତ ସହରର ଅନ୍ୟ କୌଣସି ସ୍ଥାନକୁ ଉଚ୍ଛେଦ କରି ଦିଆଯିବ ନାହିଁ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି।