ଶତ୍ରୁତା-ଯୁଦ୍ଧ ଶେଷ କରି ଶାନ୍ତି ଆଲୋଚନା କରନ୍ତୁ ରୁଷିଆ-ୟୁକ୍ରେନ: ଭାରତର ପରାମର୍ଶ…

ଜେନେଭା,୭।୧୨ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ଶତ୍ରୁତାକୁ ତୁରନ୍ତ ବନ୍ଦ କରିବାକୁ ଭାରତ ଆହ୍ବାନ ଦେଇଛି । ଉଭୟ ଦେଶ କୂଟନୈତିକ ସ୍ତରରେ ଶାନ୍ତି ଆଲୋଚନା କରି ଯୁଦ୍ଧ ଶେଷ କରିବା ଜରୁରୀ। ୟୁକ୍ରେନ: ସାଧାରଣ ନାଗରିକଙ୍କ ସୁରକ୍ଷା ତଥା ଶିଶୁଙ୍କ ଅବସ୍ଥା ଶାର୍ଷକ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ସମ୍ବୋଧିତ କରି କାମ୍ବୋଜ କହିଛନ୍ତି ଯେ ଜାରି ଶତ୍ରୁତା ତଥା ହିଂସାକୁ ତୁରନ୍ତ ବନ୍ଦ କରିବାକୁ ଭାରତ ଆହ୍ବାନ ଦେଇଛି। ଆଲୋଚନାକୁ ଫେରିବାକୁ ଭାରତ ଉଭୟ ପକ୍ଷକୁ କହିଛି।

ଆମେ ବିଶ୍ୱାସ କରୁ ଯେ ନିରୀହ ଜୀବନ ଦେଇ କୌଣସି ସମାଧାନ ଆସିପାରିବ ନାହିଁ। ଆମର ପ୍ରଧାନମନ୍ତ୍ରୀ ଅନେକ ଥର ୟୁକ୍ରେନ ଏବଂ ରୁଷିଆର ରାଷ୍ଟ୍ରପତିଙ୍କ ସହ କଥା ହୋଇ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି। ଶାନ୍ତି ରକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଥିବା ଏଭଳି ସମସ୍ତ ଉଦ୍ୟମକୁ ସମର୍ଥନ କରିବାକୁ ଭାରତ ପ୍ରସ୍ତୁତ ଅଛି।
ୟୁକ୍ରେନର ପରିସ୍ଥିତି ସମ୍ପର୍କରେ ଆଲୋଚନା କରି କାମ୍ବୋଜ କହିଛନ୍ତି ଯେ ଦେଶର ପରିସ୍ଥିତିକୁ ନେଇ ଭାରତ ଚିନ୍ତିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିବାଦ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି।

ମହିଳା, ଶିଶୁ ଏବଂ ବୃଦ୍ଧଙ୍କୁ ବିଶେଷ ଟାର୍ଗେଟ କରାଯାଇଥିଲା, ଲକ୍ଷ ଲକ୍ଷ ଲୋକ ଭୂମିହୀନ ହୋଇ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ଗତ ସପ୍ତାହରେ ସାଧାରଣ ନାଗରିକ ତଥା ସାଧାରଣ ନାଗରିକ ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣର ଖବର ଗଭୀର ଚିନ୍ତାଜନକ। ମସ୍କୋ-କ୍ୱିଭ୍‌ ଯୁଦ୍ଧରେ ପ୍ରଭାବିତ ୟୁକ୍ରେନ ଏବଂ ଅନ୍ୟାନ୍ୟ ସ୍ବଳ୍ପ ଆୟକାରୀ ଦେଶକୁ ମାନବିକ ସହାୟତା ପ୍ରଦାନରେ ଭାରତର ଉଦ୍ୟମକୁ ମନେ ପକାଇ କାମ୍ବୋଜ କହିଛନ୍ତି ଯେ ଆମେ ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନ କରୁଛୁ ଏବଂ ଗ୍ଲୋବାଲ ସାଉଥରେ ଆମର କିଛି ପଡ଼ୋଶୀଙ୍କୁ ଆର୍ଥିକ ସହାୟତା କରୁଛୁ।

ଆଫଗାନିସ୍ତାନ, ମ୍ୟାନମାର, ସୁଦାନ ଏବଂ ୟେମେନ ସମେତ ଅଭାବୀ ଦେଶମାନଙ୍କୁ ଭାରତ୧.୮ ମିଲିୟନ ଟନରୁ ଅଧିକ ଗହମ ରପ୍ତାନି କରିଛି ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନ ବିବାଦର ପ୍ରଭାବ କେବଳ ୟୁରୋପରେ ସୀମିତ ନୁହେଁ। ବିଶେଷକରି ବିକାଶଶୀଳ ଦେଶମାନଙ୍କରେ ଖାଦ୍ୟ, ସାର ଏବଂ ଇନ୍ଧନ ସୁରକ୍ଷାକୁ ନେଇ ଏହି ବିବାଦ ଚିନ୍ତା ବଢ଼ାଉଛି ବୋଲି ସେ କହିଛନ୍ତି।

Share