ପ୍ରଚାର ଅବଧି ଶେଷ ପରେ ବି ଘରକୁ ଘର ବୁଲୁଛନ୍ତି ଏମ୍‌ପି, ଘେରିଲେ ଭାଜପା କର୍ମୀ

ସୁନ୍ଦରଗଡ଼,୨୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲାର ସଦର, ଟାଙ୍ଗରପାଲି ଓ ଗୁରଣ୍ଡିଆ ବ୍ଲକର ୬ଟି ଜିଲାପରିଷଦ ଜୋନ୍‌ରେ ଗୁରୁବାର ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାଠାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହା ପରେ ସେହି ଅଞ୍ଚଳରେ ବାହାର ନେତାଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ହେଲେ ବୁଧବାର ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ଡ.ସସ୍ମିତ ପାତ୍ର ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଟାଙ୍ଗରପାଲି ବ୍ଲକର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଟାଙ୍ଗରପାଲି(କ) ଜିଲା ପରିଷଦ ପ୍ରାର୍ଥିନୀଙ୍କ ସପକ୍ଷରେ ଏଭଳି ପ୍ରଚାର କରୁଥିବା ବେଳେ ରେମଣ୍ଡାଠାରେ ଭାଜପା କର୍ମୀମାନେ ତାଙ୍କୁ ଘେରି ଯାଇ ବିରୋଧ କରିଥିଲେ। ପରେ ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ପକ୍ଷରୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ଭାଜପା ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କଠାରେଅଭିଯୋଗ କରାଯାଇଛି।

Share