ଓ୍ବାଶିଂଟନ,୨୩।୧୧: କରୋନା ମହାମାରୀ ସଂକ୍ରମଣରୁ ମୁକ୍ତି ପାଇବା ପ୍ରତୀକ୍ଷାର ଖୁବ୍ ଶୀଘ୍ର ଅନ୍ତ ଘଟିବାକୁ ଯାଉଛି। ଡିସେମ୍ବର ୧୧ କିମ୍ବା ୧୨ରୁ ଆମେରିକାରେ କରୋନା ପ୍ରତିଷେଧକ ଟିକା ଦିଆଯିବା ଆରମ୍ଭ ହେବ। ଏନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଲୋକଙ୍କୁ ଟିକା ଦିଆଯିବା ନେଇ ଖାଦ୍ୟ ଏବଂ ଔଷଧ ପ୍ରଶାସନ ନିକଟରେ ପ୍ରସ୍ତାବ ଆଗତ କରାଯାଇଛି। ଏନେଇ ପରାମର୍ଶ କମିଟି ବୈଠକ ଡିସେମ୍ବର ୧୦ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିକା ଦେବା ନେଇ ସରକାରୀ ମଞ୍ଜୁରୀ ମିଳିବାର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଡାକ୍ତର ମୋନସେଫ୍ ସ୍ଲାଓ କହିଛନ୍ତି। ଶୀଘ୍ର ପ୍ରତିଷେଧକ ଟିକା କିଭଳି ଲୋକଙ୍କୁ ଦିଆଯିବ ସେ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି।