ସରିଲା ରିମାଣ୍ଡ, ବିଚାର ବିଭାଗୀୟ ହାଜତରେ ବାବୁରାମ

ବାଲେଶ୍ୱର ଅଫିସ, ୧।୩: ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌) ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ଅଧିକାରୀ ବାବୁରାମ ଦେଙ୍କ ୪ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ଶେଷ ହୋଇଛି। ପୋଲିସ ବାବୁରାମଙ୍କୁ ବାଲେଶ୍ୱର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଫାଷ୍ଟଟ୍ରାକ୍‌ କୋର୍ଟ (ଜେଏମ୍‌ଏଫ୍‌ସି) ସିଟି କୋର୍ଟରେ ହାଜର କରାଇଥିଲା। ସେଠାରେ ଜାମିନ ଖାରଜ ହେବା ପରେ ବାବୁରାମଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ପ୍ରଦାନ ଅଭିଯୋଗରେ ଗତ ୨୪ ତାରିଖରେ ଚାନ୍ଦିପୁର ଆଇଟିଆର୍‌ ଟେଲିମେଟ୍ରି ବିଭାଗର ଟେକ୍ନିକାଲ ଅଫିସର) ବାବୁରାମ ଦେ ଗିରଫ ହୋଇଥିଲେ। ପୋଲିସ ଅଧିକ ତଥ୍ୟ ପାଇଁ ବାବୁରାମଙ୍କୁ ୪ଦିନିଆ ରିମାଣ୍ଡରେ ନେଇଥିଲା। ଏହି ଅବଧି ସମୟରେ ପୋଲିସ ସମେତ ଆନ୍ଧ୍ରପ୍ରଦେଶ ଗୋଇନ୍ଦା ବିଭାଗ ଓ ଭାରତୀୟ ବାୟୁସେନାର ଟିମ୍‌ ପଚରାଉଚରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଅନୁମାନ କରାଯାଉଛି। ଆବଶ୍ୟକ ପଡ଼ିଲେ ବାବୁରାମଙ୍କୁ ପୁଣିଥରେ ରିମାଣ୍ଡରେ ଅଣାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।