ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ଗତ ସପ୍ତାହରେ ଏହାର ଆର୍ଥିକ ସମୀକ୍ଷା ବୈଠକରେ ଉପଭୋକ୍ତାମାନଙ୍କ ପାଇଁ ସେମାନଙ୍କର ଏବକାର ଋଣର ପରିଶୋଧ ଉପରେ ପୂର୍ବରୁ ଘୋଷଣା କରିଥିବା ୬ ମାସିଆ ମୋରାଟୋରିୟମକୁ ନ ବଢାଇବା ପାଇଁ ନିଷ୍ପତ୍ତି ନେଇଛିି। ସେମାନେ ପୂର୍ବରୁ ଅଧିକ ଇଏମ୍ଆଇ ଉପରେ ମୋରାଟୋରିୟମ ଚାହାନ୍ତି କି ତାହାକୁ ଲଗାତର ଦେବାକୁ ଚାହାନ୍ତି ତା’ଭିତରୁ ଗୋଟିଏକୁ ବାଛିବାକୁ ଲୋକମାନଙ୍କୁ ଅନୁମତି ଦେଇଥିଲେ। ମୋରାଟୋରିୟମ ବନ୍ଦ କରିବା ଆର୍ବିଆଇର ଏକ ଠିକ୍ ନିଷ୍ପତ୍ତି। ମୋରାଟୋରିୟମ କେବଳ ଏକ ପ୍ରହେଳିକା ବୋଲି ପୂର୍ବରୁ ଆମେ ଏହି ସ୍ତମ୍ଭରେ ଯୁକ୍ତି ଉପସ୍ଥାପନ କରିଥିଲୁ। ଏହି ଯୋଜନା ଉପଭୋକ୍ତାଙ୍କୁ ସହାୟକ ହେବନି ବୋଲି ନିଶ୍ଚିତ ଥିଲା। ମୋରାଟୋରିୟମ ପାଉଥିବା ଲୋକମାନଙ୍କୁ ମୂଳଧନ ଉପରେ ଅଧିକ ସୁଧ ଦେବାକୁ ପଡୁଥିଲା ଏବଂ ସେମାନଙ୍କ ବାକିଥିବା ଇଏମ୍ଆଇର ସୁଧ ଉପରେ ବି ସୁଧ ଦେବାକୁ ପଡୁଥିଲା। ଏହା ବ୍ୟାଙ୍କଗୁଡିକ ପାଇଁ ଲାଭ ନ ଥିଲା, କାରଣ ଲୋକମାନେ ଇଏମ୍ଆଇ ଦେଇ ନ ଥିବାରୁ ଋଣ ଖାତାର ବହୁପୃଷ୍ଠା ଖାଲିଥିତ୍ଲା। ବହୁସଂଖ୍ୟାର ଖିଲାପି ଅର୍ଥ କାରବାରକୁୁ ପୂରା ବନ୍ଦ କରିଦେଲା ଏପରି କି ଏହା ବ୍ୟାଙ୍କର ଋଣ ପୁସ୍ତିକାରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କଲା। ମାନ୍ଦା ଅର୍ଥବ୍ୟବସ୍ଥାରୁ ମୁକୁଳିବା ପାଇଁ ବ୍ୟାଙ୍କ ସଂଗ୍ରାମ କରୁଛି। ପୁଣି କୋଭିଡ୍-୧୯ ମହାମାରୀ ଅର୍ଥବ୍ୟବସ୍ଥାକୁ ପୂରା ଧ୍ୱଂସ କରିଦେଇଛି। ଏପରି କି ଗତ ବର୍ଷ ଫେବୃୟାରୀଠାରୁ ଆର୍ବିଆଇ ରେପୋ ରେଟ୍ ପାଖାପାଖି ୧୫୦ ବେସିସ୍ ପଏଣ୍ଟ କମାଇ ଦେଲେ ବି ଲୋକମାନେ ବ୍ୟାଙ୍କରୁ ଋଣ ଉଠାଇବାକୁ ଉତ୍ସାହୀ ହେଲେ ନାହିଁି। ସାମଗ୍ରିକ ଚାହିଦା ପୂରା କମିଯାଇଥିବାରୁ ଶିଳ୍ପ କାର୍ଯ୍ୟକଳାପ ଶୂନକୁ ଖସି ଆସିଛି। ବ୍ୟାଙ୍କଗୁଡିକ କମ୍ ଲାଭ କରୁଥିବା ବି ଜଣାଇଛନ୍ତି। ଏହି ପୃଷ୍ଠଭୂମିରେ ବହୁ ଇଏମଆଇର ଖିଲାପ ହୁଏତ ବ୍ୟାଙ୍କଗୁଡିକୁ ବିପଦକୁ ଠେଲିଦେବ। ଅତ୍ୟଧିକ ଇଏମ୍ଆଇ ଓ ଏହା ଉପରେ ଲାଗୁ କରାଯାଇଥିତ୍ବା ସୁଧ ଯୋଗୁ ଉପଭୋକ୍ତାମାନେ ଋଣ ପାରିଶୋଧରେ ଖିଲାପ କରିବେ। ଏହାଦ୍ୱାରା ବ୍ୟାଙ୍କଗୁଡିକର ଅନାଦେୟ ଋଣ (ଏନ୍ପିଏ) ବୃଦ୍ଧି ପାଇବ। ଏନ୍ପିଏ ଅଧିକ ହେଲେ ବ୍ୟାଙ୍କ ଦୁର୍ବଳ ହୋଇଯାଇଥାଏ। ଫଳରେ ଏହା ସରକାରଙ୍କୁ ନଗଦ ଅର୍ଥଦେବାକୁ ବାଧ୍ୟ କରିବ। ଏହିପ୍ରକାରେ ମୋରାଟୋରିୟମ ସମସ୍ତଙ୍କ ପାଇଁ ଏକ କ୍ଷତିକାରକ ଯୋଜନା ଥିଲା। ଏଣୁ ମୋରାଟୋରିୟମ ବନ୍ଦ କରିବା ଏବଂ ବ୍ୟାଙ୍କଗୁଡିକୁ ଋଣଗୁଡିକର ନବୀକରଣ କରି ବଦଳାଇବା,ଋଣଗ୍ରହୀତାମାନଙ୍କୁ ସେମାନଙ୍କ ପରିଶୋଧ ଧାରାର ରେକର୍ଡକୁ ଆଧାରକରି ପ୍ରୋତ୍ସାହିତ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାର୍ଚ୍ଚ ୩୦, ୨୦୨୦ରେ ଉପଭୋକ୍ତାମାନଙ୍କ ଦେୟ ଇତିହାସକୁ ବିଚାରକୁ ନେବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି। ନୂଆ ନିୟମ କର୍ପୋରେଟ,ଖୁଚୁରା ଉପଭୋକ୍ତା ଏବଂ ଏମ୍ଏସଏମଇଏସ୍କୁ ସାହାଯ୍ୟ କରିବ ଯେଉଁଠି ଉପଭୋକ୍ତା ତା’ର ଋଣ, ଇଏମ୍ଆଇ ପରିମାଣ ଏବଂ ଋଣର ଅବଧିକୁ ବଦଳାଇପାରିବ। ଏହା ଗୃହଋଣ, କାର୍ ଋଣ, ବ୍ୟକ୍ତଗତ ଋଣ,ଶିକ୍ଷା ଋଣ,ସମ୍ପତ୍ତି ଉପରେ ଋଣ, ବ୍ୟବସାୟ ଋଣ କରିଥିବା ଲୋକମାନଙ୍କ ପାଇଁ ପ୍ରଯୁଜ୍ୟ ହେବ।
ମୁଦ୍ରାସ୍ଫୀତି ବଢୁଥିବାରୁ ଆର୍ବିଆଇ ଏହାର ପୁନଃ ରେଟ୍ କମାଇବା ରୋକି ଦେଇଛି। ସାରାଦେଶରେ ବୃଦ୍ଧି ପାଉଥିବା କୋଭିଡ୍-୧୯ ମହାମାରୀ ବିରୋଧରେ ସଂଗ୍ରାମ କରୁଥିବା ତଥା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପଦକ୍ଷେପ ନେଉଥିବା କେନ୍ଦ୍ର ସରକାରଙ୍କ ଉପରେ ଏହା ନିଶ୍ଚିତ ଅଧିକ ଚାପ ପକାଇବ। ମାର୍ଚ୍ଚରେ ଲକ୍ଡାଉନ ଘୋଷଣା ହେବା ପରଠାରୁ ଅର୍ଥବ୍ୟବସ୍ଥା ମାନ୍ଦା ହୋଇଚାଲିଛି। ଏହାପରେ ଲଗାତର ଲକ୍ଡାଉନ ଓ ଶଟ୍ଡାଉନ ଅର୍ଥବ୍ୟବସ୍ଥାରେ ଶୀଘ୍ର ସୁଧାର ଆସିବାର ସମସ୍ତ ଆଶାକୁ ଶେଷ କରିଦେଇଛି। ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ, ଲକ୍ଡାଉନ ଓ ଶଟ୍ଡାଉନଗୁଡିକ ଭୂତାଣୁ ସଂକ୍ରମଣ ରୋକିବାରେ ବିଫଳ ହୋଇଛି ଓ ଏହା ଏବେ ୨୨ ଲକ୍ଷ ଟପିଯାଇଛି। ସ୍ବାଧୀନତା ପରେ ମୋଟ ଘରୋଇ ଉପତ୍ାଦ (ଜିଡିପି) ସବୁଠୁ କମ୍ ସ୍ତରରେ ପହଞ୍ଚିବାର ସମ୍ଭାବନା ଦେଖାଦେଇଛି। ସରକାର ଅର୍ଥବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ଆଉ ଏକ ପ୍ୟାକେଜ ମଧ୍ୟ ପ୍ରସ୍ତୁତ କରିପାରନ୍ତି। ଚାହିଦା ବୃଦ୍ଧି କରିବାକୁ ଅଧିକ ପଦକ୍ଷେପ ନେବାକୁ ସରକାରଙ୍କ ଉପରେ ଚାପ ବଢୁଛି। ଭିତ୍ତିିଭୂମି ପ୍ରକଳ୍ପରେ ଅଧିକ ଖର୍ଚ୍ଚ ଏବଂ ଯଥାସମ୍ଭବ ସାମଗ୍ରିକ ସେବା ଟିକସ (ଜିଏସଟି) ହାର କମାଇବା ସରକାରଙ୍କ ପାଇଁ ଅନ୍ୟ ବିକଳ୍ପ ହୋଇପାରେ। ଯେତେବେଳ ଯାଏ ସରକାର ତାଙ୍କ କଟକଣା ନିୟମକୁ ଜାରି ରଖିବେ ସେତେବେଳ ଯାଏ ସରକାର ଏବଂ ଆର୍ବିଆଇ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପ ବ୍ୟର୍ଥ ହେବ। ଚାହିଦା ଫେରିଲେ ହିଁ ଅର୍ଥବ୍ୟବସ୍ଥା ସୁଧୁରିବ।
କେବଳ ଲୋକମାନଙ୍କୁ ଚାକିରି ଓ କାମ କରିବାକୁ ଅନୁମତି ଦେଲେ ଏହା ହୋଇପାରିବ। କଟକଣା ଶେଷ ହେଲେ ହିଁ ଅର୍ଥନୀତି ମୁଖ୍ୟସ୍ରୋତକୁ ଫେରିିପାରିବ।