ଢେଙ୍କାନାଳ ଅଫିସ, ୨୨।୨: ଢେଙ୍କାନାଳ ଜିଲାର ଲୁପ୍ତପ୍ରାୟ ଆଦିବାସୀ ସଂସ୍କୃତି, ପରମ୍ପରାକୁ ପୁନର୍ଜୀବିତ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ରବିବାର ସ୍ଥାନୀୟ ବଳରାମ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ଲୋକାର୍ପିତ ହୋଇଛି ‘ଜନଜାତି ଶିକ୍ଷା ସାଧନ କେନ୍ଦ୍ର ଓ ସଂଗ୍ରହାଳୟ’। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରି କହିଲେ, ଜିଲାର ଜନଜାତି ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା ଲୋପ ପାଇବାରେ ଲାଗିଛି। ସମୟ ଆସିଛି ଏହାକୁ ଆମେ ସମସ୍ତେ ବଞ୍ଚାଇ ରଖିବା। ଏହି ସଂଗ୍ରହାଳୟ ମାଧ୍ୟମରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ଜୀବନ୍ତରୂପ ଦିଆଯାଇଛି। ଏହାଦ୍ୱାରା ଗବେଷଣାର ଦିଗ ଉନ୍ମୁକ୍ତ ହେବ। ଛାତ୍ରୀଛାତ୍ର, ଗବେଷକ ଏବଂ ଜନସାଧାରଣ ଅନେକ ବିଷୟରେ ଜାଣିବାକୁ ପାଇବେ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି।
ସମ୍ମାନିତ ଅତିଥି ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ସାହୁ କହିଲେ, ଆଦିବାସୀଙ୍କ ଭାଷା, ସଂସ୍କୃତି ଲୋକଲୋଚନକୁ ଆଣିବାକୁ ଏହା ଏକ ବଳିଷ୍ଠ ପଦକ୍ଷେପ। ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର କହିଲେ, ଆଗାମୀ ଦିନରେ ସଂଗ୍ରହାଳୟକୁ ଆହୁରି ଆକର୍ଷଣୀୟ କରାଯିବ। ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କହିଲେ, ଜନଜାତିଙ୍କ ଜୀବନଶୈଳୀ, ଭାଷା, ପ୍ରଥା, ପରମ୍ପରା, ପର୍ବପର୍ବାଣି, ନୃତ୍ୟଗୀତ ମାଧ୍ୟମରେ ଜାଣିବାକୁ ସମସ୍ତଙ୍କ ମନରେ ଊଣା ଅଧିକେ ଆଗ୍ରହ ରହିଛି। ଜନଜାତି ଶିକ୍ଷା ସାଧନ କେନ୍ଦ୍ର ଏବଂ ସଂଗ୍ରହାଳୟ ଏଥିରେ ସହାୟତା କରିବ। ଏଠାରେ ଜନଜାତି ସମ୍ପ୍ରଦାୟ ଦ୍ୱାରା ବ୍ୟବହୃତ ଶିକାର ଉପକରଣ, ଗୃହୋପକରଣ, ମାଛଧରା ଉପକରଣ, ବାଦ୍ୟ, ଅଳଙ୍କାର, ସେମାନେ ସଂଗ୍ରହ କରୁଥିବା ଜଙ୍ଗଲଜାତ ଦ୍ରବ୍ୟ, ଡୋକ୍ରା ସାମଗ୍ରୀ, ବିଭିନ୍ନ ଜନଜାତିର ଭାଷା ଉପରେ ପର୍ଯ୍ୟବସିତ ପୁସ୍ତକ ସ୍ଥାନ ପାଇବ ବୋଲି ଜିଲା ଶିକ୍ଷାଧିକାରୀ ସୂଚନା ଦେଇଥିଲେ।
ଏହି ଅବସରରେ ଜନଜାତି ଗୋଷ୍ଠୀଙ୍କଠାରୁ ସେମାନଙ୍କ ମାତୃଭାଷାରେ ସଂଗୃହୀତ ତଥା କୋମଳମତି ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା ‘ସୃଜନୀ’ ଉନ୍ମୋଚିତ ହୋଇଥିଲା। ସ୍କୁଲରେ ସଂଗ୍ରହାଳୟ କରି ଶିକ୍ଷା ବିଭାଗ ପାଇଁ ପ୍ରେରଣା ସାଜିଥିବା ହିନ୍ଦୋଳ ବ୍ଲକ ପାଟଲା ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନୋହର ଶତପଥୀ, ଯତୀନ୍ଦ୍ର ପ୍ରସାଦ କର, ସୁବାଶିଷ ସାହୁଙ୍କ ସମେତ ଶିକ୍ଷା ବିଭାଗର ଅଧିକାରୀ, କର୍ମଚାରୀ, ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।