Categories: ଜାତୀୟ

ଟ୍ରେନରୁ ଉଦ୍ଧାର ହେଲା ୭ ଶାଗୁଣା

ଭୋପାଳ,୨୧।୧: ମଧ୍ୟପ୍ରଦେଶ ପୋଲିସ ଗୁରୁବାର ଖାଣ୍ଡଓ୍ବା ଜିଲାରୁ ଏକ ଆନ୍ଥଃ ରାଜ୍ୟ ଶାଗୁଣା ଚୋରାଚାଲାଣ ର଼୍ୟାକେଟ ଉପରୁ ପର୍ଦାଫାଶ କରିଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ୬୦ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ବିଲୁପ୍ତ ପ୍ରାୟ ୭ ଇଜିପ୍ଟିଆନ ଶାଗୁଣାଙ୍କୁ ଉଦ୍ଧାର କରାଯାଇଛି।

ସୁଲତାନପୁର-ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସର ଏକ କମ୍ପାର୍ଟମେଣ୍ଟରେ ପକ୍ଷୀଙ୍କ ଶବ୍ଧ ଏବଂ ଗନ୍ଧ ହେଉଥିବା ଯାତ୍ରୀମାନେ ରେଲଓ୍ବେ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ରେଲଓ୍ବେ ପ୍ରୋଟେକଶନ ଫୋର୍ସ (ଆର୍‌ପିଏଫ୍‌) ଏବଂ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଟ୍ରେନରେ ଚଢ଼ାଉ କରାଯାଇ ଶାଗୁଣାଙ୍କୁ ଉଦ୍ଧାର କରାଯାଇଥିଲା।

ଅଭିଯୁକ୍ତଙ୍କୁ ଶାଗୁଣାଙ୍କ ସହ ଥାନାକୁ ନିଆଯାଇଥିଲା। ପଚରାଉଚରା ବେଳେ ଚୋରାଚାଲାଣକାରୀ ଫରିଦ ଶେଖ କହିଥିଲେ, ତାଙ୍କୁ କାନପୁର ଷ୍ଟେଶନରେ ସମୀର ଖାନ ନାମକ ଜଣେ ବ୍ୟକ୍ତି ପକ୍ଷୀ ଦେଇଥିଲେ। ପକ୍ଷୀଙ୍କୁ ମାଲେଗାଓଁ ନେଇ ହାସିମଙ୍କୁ ଦେବାକୁ କହିଥିଲେ। ଏ ବାବଦକୁ ସମୀର ୧୦ ହଜାର ଟଙ୍କା ଦେଇଥିଲେ।

ବନ୍ୟଜନ୍ତୁ ସୁରକ୍ଷା ଆଇନରେ ଏ ନେଇ ମାମଲା ରୁଜୁ କରିବା ସହ ମାମଲାର ତଦନ୍ତ କରାଯାଉଛି। ଜବତ ଶାଗୁଣାକୁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

Share