ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ,ଡେଲ୍‌ଟା ଭାରିଆଣ୍ଟ୍‌ ଯୋଗୁ ଏକ୍ଟୋପିକ୍‌ ଗର୍ଭାବସ୍ଥା ଅଧିକ ସୃଷ୍ଟି ହେଉଛି…

ନୂଆଦିଲ୍ଲୀ, ୭।୨ : ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ପୃଥିବୀରେ ୪୦୦ରୁ ଅଧିକ କରୋନା ଭାରିଆଣ୍ଟ୍‌ ଦୃଷ୍ଟିଗୋଚର ହୋଇ ସାରିଛି। ସେଥିମଧ୍ୟରୁ କେବଳ ଅଳ୍ପ କିଛି ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ସଙ୍କଟ ଜନକ ରହିଛି। କରୋନା ମହାମାରୀର ଡେଲ୍‌ଟା ଭାରିଆଣ୍ଟ୍‌ ଗର୍ଭବତୀ ମହିଳାଙ୍କ ବିପଦକୁ ବଢ଼ାଇ ଦେଇଛି। ଏହି ଯୋଗୁ ଏକ୍ଟୋପିକ ଗର୍ଭଧାରଣ ବା ଅସ୍ଥାନିକ ଗର୍ଭାବସ୍ଥାର ଆଶଙ୍କା ତିନି ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯେଉଁଥିପାଇଁ ମହିଳାଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହେଉଛି। ଗର୍ଭବତୀ ମହିଳାମାନଙ୍କଠାରେ ଡେଲ୍‌ଟା କରୋନା ସଂକ୍ରମଣ ଯୋଗୁ ଏହି ସମସ୍ୟା ଦେଖାଦେଇଛି।

ଦେଶରେ ପ୍ରଥମ ଥର ପାଇଁ ଆଇସିଏମଆର ବୈଜ୍ଞାନିକମାନେ ଏହି ଅବସ୍ଥା ଚିହ୍ନଟ କରିଛନ୍ତି।
ଏକ୍ଟୋପିକ ଗର୍ଭଧାରଣର ସବୁଠାରୁ ସାଧାରଣ ପ୍ରକାର ହେଉଛି ଟ୍ୟୁବଲ ଗର୍ଭଧାରଣ। ଯେଉଁଥିରେ ଫର୍ଟିଲାଇଜ ହୋଇଥିବା ଡିମ୍ବାଣୁ ଗର୍ଭାଶୟକୁ ଯିବା ବାଟରେ ଅଟକି ଯାଇଥାଏ। ପ୍ରଦାହ କିମ୍ବା ଅନ୍ୟାନ୍ୟ ସମସ୍ୟା ଫିଲୋପିଆନ ଟ୍ୟୁବ୍‌ରେ କ୍ଷତ ସୃଷ୍ଟି ହେବାରୁ ହେତୁ ଏଭଳି ପ୍ରାୟତଃ ହୋଇଥାଏ। ଫର୍ଟିଲାଇଜଡ ଡିମ୍ବାଣୁ ଅସ୍ବାଭାବିକ ବିକାଶ କରୋନାର ଡେଲ୍‌ଟା ଭାରିଆଣ୍ଟ୍‌ ଯୋଗୁ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି। ଡେଲ୍‌ଟା ଦ୍ୱାରା ଆକ୍ରାନ୍ତ ହୋଇଥିବା ଗର୍ଭବତୀଙ୍କ ହରମୋନସ୍ତରରେ ଅସନ୍ତୁଳନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।

ସାଉଥ ଏସିଆନ ଫେଡେରେସନ ଅଫ ପ୍ରସୂତି ଏବଂ ସ୍ତ୍ରୀ ରୋଗର ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହର ମଧ୍ୟରେ ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଉପରେ କରାଯାଇଛି। ପ୍ରଥମ ଲହରରେ ଏକ୍ଟୋପିକ ଗର୍ଭଧାରଣର ଭୟ ଅଧିକ ନ ଥିଲା। ଡେଲ୍‌ଟା ସଂକ୍ରମଣ ଯୋଗୁ ଗର୍ଭବତୀ ମହିଳାମାନଙ୍କଠାରେ ଏକ୍ଟୋପିକ ଗର୍ଭଧାରଣ ହେବାର ଆଶଙ୍କା ନଅ ପ୍ରତିଶତରୁ ଅଧିକ ବୋଲି ଜଣାପଡିଛି।

ଆଇସିଏମ୍‌ଆର ବୈଜ୍ଞାନିକମାନେ ୧୬୬୦ ଗର୍ଭବତୀ ମହିଳାଙ୍କ ଉପରେ ଅଧ୍ୟୟନ କରିଥିଲେ। ଆଇସିଏମ୍‌ଆରର ବରିଷ୍ଠ ବୈଜ୍ଞାନିକ ଡ. ରାହୁଲ ଭଜଭିୟେ କହିଛନ୍ତି ଯେ କରୋନା ସଂକ୍ରମଣରେ ଆକ୍ରାନ୍ତ ହେବା ପରେ ଏହି ମହିଳାମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡେଲ୍‌ଟା ସଂକ୍ରମଣ ଯୋଗୁ ଏକ୍ଟୋପିକ ଗର୍ଭଧାରଣର ଆଶଙ୍କା ମଧ୍ୟ ୯.୬ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

Share