କେନ୍ଦ୍ରାପଡ଼ା ଅଫିସ, ୨୫ା୬: କେନ୍ଦ୍ରାପଡ଼ା ଜିଲା ଜାତୀୟ ଉଦ୍ୟାନ ଭିତରକନିକାର ଜୈବବିବିଧତା ଉପରେ ବିପଦ ଘନେଇ ଆସୁଛି। ଏଠାରେ ଥିବା ସାମୁଦ୍ରିକ ଓ ବନ୍ୟପ୍ରାଣୀ ମୃତ୍ୟୁଆଡ଼କୁ ଠେଲିହୋଇ ଯାଉଛନ୍ତି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏଥିପାଇଁ କାରଣ ସାଜିଛି। କେବଳ ବ୍ରାହ୍ମଣୀ ନଦୀରୁ ଶିଳ୍ପ ଓ ଖଣି ଲାଗି ବର୍ଷକୁ ୮୬.୨୬ ମିଲିୟନ କ୍ୟୁବିକ୍ ମିଟର ଉଠାଯାଉଛି। ସେହିପରି ଶିଳ୍ପ ପ୍ରଦୂଷଣରେ ଅନୁଗୋଳ ଓ ଭିତରକନିକା ମଧ୍ୟରେ ଥିବା ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ରିପୋର୍ଟରୁ ପ୍ରକାଶ ପାଇଛି।
ଭିତରକନିକାର ଜୈବବିବିଧତା ଓ ଏହାର ସମନ୍ବିତ ପରିଚାଳନା ସମ୍ପର୍କରେ ରିସର୍ଚ୍ଚ କରୁଥିବା ଅଧ୍ୟାପକ ଦେବୀ ପ୍ରସାଦ ସାହୁ, ଅଧ୍ୟାପକ ଶରତ କୁମାର ସାହୁ ଓ ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ଭିତରକନିକା ପରିବେଶ ଏବେ ଉଦ୍ବେଗଜନକ ସ୍ଥିତି ଆଡ଼କୁ ଯାଉଛି। ପ୍ରତିଦିନ ଏହି ଆର୍ଦ୍ରଭୂମିରେ ଜମା ହେଉଥିବା ପ୍ରଦୂଷିତ ଜଳ ଜୀବଜଗତ ପ୍ରତି ବିପଦ ସାଜିଛି। କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ପକ୍ଷରୁ ୨୦୦୮ରୁ ୨୦୧୮ ମଧ୍ୟରେ ବ୍ରାହ୍ମଣୀ, ବୈତରଣୀ ଅବବାହିକାର ଜଳ ସମ୍ପର୍କରେ ଅନୁଧ୍ୟାନ କରାଯାଇ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିସହ ଭିତରକନିକାକୁ ପ୍ରବେଶ କରୁଥିବା ଜଳଉତ୍ସ ଉପରେ ନିର୍ଭର କରୁଥିବା ଲୁହା ଓ ଆଲୁମିନିୟମ ଶିଳ୍ପ, ସିମେଣ୍ଟ, ଫେରୋକ୍ରୋମ୍, ସାର କାରଖାନା ଆଦିର ଜଳ ଗ୍ରହଣ ଓ ପ୍ରଦୂଷିତ ଜଳ ପ୍ରେରଣକୁ ନେଇ ଅନୁଧ୍ୟାନ ହୋଇଥିଲା। ଏହି ଅନୁଧ୍ୟାନରେ ବ୍ରାହ୍ମଣୀ ଜଳ ଶିଳ୍ପ ପାଇଁ ଅଧିକ ପ୍ରଦୂଷିତ ହେଉଥିବା ଦର୍ଶାଯାଇଛି। ଏପରି କି ଅନୁଗୋଳଠାରେ ପାଣି ଓ ଭିତରକନିକା ପାଣି ସାମ୍ପଲ ମଧ୍ୟରେ ୧୦ ଗୁଣ ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି। ଭିତରକନିକା ଜୈବବିବିଧତା ସୁରକ୍ଷାରେ ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ଜଳ ଗୁରୁତ୍ୱ ବହନ କରୁଛି। ତେବେ ଏଥିମଧ୍ୟରୁ ସର୍ବାଧିକ ଜଳ ବ୍ରାହ୍ମଣୀ ନଦୀ ଯୋଗାଇଥାଏ। ଏହି ନଦୀ ଅବବାହିକାରେ ଜନସଂଖ୍ୟା ବୃଦ୍ଧିକୁ ତାଳ ଦେଇ ଶିଳ୍ପ ବୃଦ୍ଧି ପାଇବାରେ ଲାଗିଛି। ଶିଳ୍ପରୁ ବାହାରୁଥିବା ଫ୍ଲାଏ ଆଶ୍ ବା ଉଡ଼ନ୍ତା ପାଉଁଶର ନିୟନ୍ତ୍ରଣ ପାଇଁ ଜଳର ଆବଶ୍ୟକତା ଅଛି। ଶିଳ୍ପ ଓ ଖଣି କାର୍ଯ୍ୟ ଲାଗି ବର୍ଷକୁ ୮୬.୨୬ ଏମ୍ସିଏମ୍ ଜଳ ବ୍ରାହ୍ମଣୀ ନଦୀରୁ ଉତ୍ତୋଳନ ହେଉଛି। ନଦୀ ଅବବାହିକାରେ ଥିବା ଅନୂ୍ୟନ ୧୦ ଖଣି ପାଇଁ ଦୈନିକ ୧୫,୮୦୦ କିଲୋ ଲିଟର ବ୍ୟବହାର ହେଉଛି। ଏହାବ୍ୟତୀତ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପାନୀୟ ଜଳ ଓ ଚାଷ ପାଇଁ ମେଗା ପ୍ରକଳ୍ପମାନ ପ୍ରତିଷ୍ଠା ହୋଇଛି। ଶିଳ୍ପରୁ ବାହାରୁଥିବା ପ୍ରଦୂଷିତ ଜଳ ନଦୀକୁ ବିଷାକ୍ତ କରୁଛି। ଶିଳ୍ପ ଓ ଜନସାଧାରଣଙ୍କ ଆବଶ୍ୟକତା ପାଇଁ ନଦୀରେ ଜଳସଙ୍କଟ ଆରମ୍ଭ ହୋଇଛି। ଏହି କେନ୍ଦ୍ରୀୟ ବିଭାଗର ୨୦୧୩ ରିପୋର୍ଟ ମଧ୍ୟ ଅନୁରୂପ ମତ ଉଲ୍ଲେଖ କରିଛି। ଭିତରକନିକାରେ ଜମା ହେଉଥିବା ବିଷାକ୍ତ ଜଳ ସାମୁଦ୍ରିକ ଓ ବନ୍ୟପ୍ରାଣୀ ସମେତ ଜୈବବିବିଧତାର ବିପଦ ସାଜିଛ। ବିଷାକ୍ତ ଜଳର ବିଶୁଦ୍ଧୀକରଣ ବ୍ୟବସ୍ଥା ସମ୍ପର୍କରେ ଅଦ୍ୟାବଧି କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ। ଏପରି କି ନିକଟରେ ଥିବା ଧାମରା ଓ ପାରାଦୀପ ବନ୍ଦରକୁ ବଡ଼ ଜାହାଜ ଓ ନିକଟସ୍ଥ ଅଏଲ ରିଫାଇନାରିରୁ ତେଲ ଲିକ୍ ହେବାର ସମ୍ଭାବନା ଅଛି। ଏହି ବିପଦରୁ ମୁକ୍ତ ପାଇଁ ଓ ଜୈବବିବିଧତା ସମନ୍ବିତ ପରିଚାଳନା ଲାଗି ପର୍ଯ୍ୟାବରଣ ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଏହି ଗବେଷକମାନେ ମତ ଦେଇଛନ୍ତି।