ଚାଳିଶ ପଚାଶ ବର୍ଷ ତଳେ ଶାଗୁଣା ଆମ ଗାଁ ଗହଳିରେ ବହୁ ସଂଖ୍ୟାରେ ଦେଖାଯାଉଥିଲେ। ଗୋରୁ ଆଦି ଗୃହପାଳିତ ଜୀବ ମରିଗଲେ, ଶାଗୁଣାମାନେ କିପରି ସୁରାକ ପାଇ ଦଳଦଳ ଚକ୍କର କାଟନ୍ତି ଆକାଶରେ, ଆଉ ମୃତ ଜୀବକୁ ଘେରି କେଇ ଘଣ୍ଟା ସମୟ ମଧ୍ୟରେ ଖାଇ ଶେଷ କରିଦିଅନ୍ତି। ଆମ ସଂସ୍କୃତିରେ ଶାଗୁଣାମାନଙ୍କୁ ସାଧାରଣତଃ ଅଶୁଭର ସଙ୍କେତ ମନେ କରାଯାଉଥିଲେ ସୁଦ୍ଧା ପରିବେଶୀୟ ଦୃଷ୍ଟିକୋଣରୁ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ମଲାଜୀବଙ୍କ ଶଢ଼ା ମାଂସ ଖାଇ ପରିବେଶକୁ ସଫା ରଖିଥାଆନ୍ତି। ଶାଗୁଣା ନ ଥିଲେ ପୃଥିବୀରେ କୁଢ଼କୁଢ଼ ଶବ ଜମାହୋଇ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିସ୍ଥିତି ସଷ୍ଟି କରୁଥାଆନ୍ତା।
ଘୋର ପରିତାପର ବିଷୟ ଯେ, ଏବେ ଆମ ଦେଶରେ ପରିବେଶର ବନ୍ଧୁ ଏହି ଶାଗୁଣାମନଙ୍କ ବଂଶ ଦ୍ରୁତ ଲୋପ ପାଇବାରେ ଲାଗିଛି ଏବଂ ସେମାନଙ୍କର ସ୍ଥିତି ଏବେ ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି। ଏବେ ଗାଁ ଗଣ୍ଡାରେ ଶାଗୁଣାମାନଙ୍କୁ ଦେଖିବା ବିରଳ। ଗାଁରେ ଗୋରୁ ମରିଗଲେ ମଲାଜୀବକୁ ଖାଇବା ପାଇଁ ଶାଗୁଣା ଆଉ ଗାଁକୁ ଆସୁନାହିଁ। ଏକ ହିସାବରୁ ଜଣାଯାଏ ଯେ, ବିଗତ ୧୯୮୦ ଦଶକରେ ଆମେ ଦେଶରେ ପ୍ରାୟ ୮ କୋଟି ଶାଗୁଣା ଥିଲାବେଳେ ଏବେ ସେମାନଙ୍କ ସଂଖ୍ୟା ୪୦୦୦ରୁ କମ୍। ସୁତରାଂ ଏବେଠୁଁ ସେମାନଙ୍କ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଏହି ବିରଳ ଓ ଉପକାରୀ ଜୀବ ଶାଗୁଣା ବଂଶର ଯେ ସମ୍ପୂର୍ଣ୍ଣ ବିଲୁପ୍ତି ଘଟିବ ଏଥିରେ ସନ୍ଦେହ ନାହିଁ। ଫଳରେ ସେମାନେ ଆମ ପିଲାମାନଙ୍କ ପାଇଁ କେବଳ ପଢ଼ାବହିର ଚିତ୍ର ହୋଇ ରହିଯିବେ ସିନା, ପ୍ରକୃତିରେ ଆଉ ଦେଖିବାକୁ ମିଳିବେ ନାହିଁ। ତେବେ ପ୍ରଶ୍ନ ଉଠେ : ଶାଗୁଣାଙ୍କ ଏହି ରହସ୍ୟମୟ ବିଲୁପ୍ତି ପାଇଁ ଦାୟୀ କିଏ?
ଏକ ଗବେଷଣାରୁ ଜଣାପଡ଼େ ଯେ, ଗୋରୁମାନଙ୍କୁ ଔଷଧ ରୂପେ ଦିଆଯାଉଥିବା ଡାଇକ୍ଲୋଫେନାକ ନାମକ ଏକ ରାସାୟନିକ ପଦାର୍ଥ ଏଥିପାଇଁ ଦାୟୀ। ଏହି ଔଷଧକୁ ସାଧାରଣତଃ ଗୋରୁ ଭଳି ଜୀବମାନଙ୍କଠାରେ ବିନ୍ଧା ଫୁଲା ଭଳି ଯନ୍ତ୍ରଣାର ଉପଶମ ନିମନ୍ତେ ପେନକିଲର୍ ରୂପେ ପ୍ରଦାନ କରାଯାଇଥାଏ। ଔଷଧ ସେବନ କରିଥିବା ଏହି ଜୀବମାନଙ୍କ ସମୟକ୍ରମେ ମୃତ୍ୟୁ ଘଟିଲେ, ଏହି ମୃତଜୀବଙ୍କ ଶବକୁ ଭକ୍ଷଣ କରୁଥିବା ଶାଗୁଣାମାନଙ୍କ ଶରୀରରେ ଏହି ରାସାୟନିକ ପଦାର୍ଥ ପ୍ରବେଶ କରେ। ଏହା ଶାଗୁଣାର ଶରୀରରେ ତୀବ୍ର ପ୍ରତିକ୍ରିୟା ଘଟାଇ ବୃକକ୍ (କିଡ୍ନୀ) ସମେତ ଏହାର ରେଚନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅକାମୀ କରିଦିଏ। ଫଳରେ ଏଭଳି ମଲାଜୀବକୁ ଖାଇଥିବା ଶାଗୁଣାର ଦୁଇ ତିନି ଦିନ ମଧ୍ୟରେ ମୃତ୍ୟୁ ଘଟେ। ଗବେଷଣାରୁ ଜଣାଯାଏ ଯେ, ଏହି ବିଷାକ୍ତ ପଦାର୍ଥର ସେବନ ଦ୍ୱାରା ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର ଶାଗୁଣାଙ୍କ ମଧ୍ୟରୁ ସମୁଦାୟ ୯୫%ଙ୍କ ମୃତ୍ୟୁ ଘଟିଲାଣି। କେବଳ ଆମ ଦେଶ ଭାରତ ନୁହେଁ, ସମଗ୍ର ଉପମହାଦେଶର ଅନେକ ଦେଶ ଯଥା ନେପାଳ, ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ଶାଗୁଣାଙ୍କ ସଂଖ୍ୟାରେ ଏବେ ଦ୍ରୁତ ଅବନତି ପରିଲକ୍ଷିତ ହେଉଛି।
ଏବେ ସରକାରଙ୍କ ଆଖି ଖୋଲିଛି। ଶାଗୁଣାମାନଙ୍କ ବଂଶରକ୍ଷା ନିମନ୍ତେ ସରକାର ବିଗତ ୨୦୦୬ ମସିହାଠାରୁ ଦେଶରେ ଏହି ଡାଇକ୍ଲୋଫେନାକ ପଦାର୍ଥରୁ ପ୍ରସ୍ତୁତ ସମସ୍ତ ଔଷଧର ଉତ୍ପାଦନ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହି ଔଷଧ ପ୍ରସ୍ତୁତ କରୁଥିବା ସମସ୍ତ କମ୍ପାନୀର ଲାଇସେନ୍ସକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଏହାଦ୍ୱାରା ଆଗାମୀ କିଛି ବର୍ଷ ମଧ୍ୟରେ ଶାଗୁଣାମାନଙ୍କ ସଂଖ୍ୟା ପୂର୍ବସ୍ଥିତିରେ ପହଞ୍ଚିବ ବୋଲି ଆଶା ପ୍ରକାଶ କରାଯାଇଛି।
ଶାଗୁଣାମାନଙ୍କ ସୁରକ୍ଷା ନିମନ୍ତେ ଏବେ ଆମ ଦେଶରେ ପ୍ରତିଷ୍ଠିତ ମୁମ୍ବାଇସ୍ଥିତ ପ୍ରାକୃତିକ ବିଜ୍ଞାନ ପରିଷଦ ଓ ପଶ୍ଚିମବଙ୍ଗର ଦୁଇଟି ଶାଗୁଣା ପ୍ରଜନନ କେନ୍ଦ୍ର କାର୍ଯ୍ୟ କରୁଛନ୍ତି। ମାତ୍ର ଏହି କେନ୍ଦ୍ରସବୁରୁ ଜନ୍ମିତ ଶାଗୁଣାମାନଙ୍କୁ ପରିବେଶ ସମ୍ପୂର୍ଣ୍ଣ ଡାଇକ୍ଲୋଫେନାକ୍ ମୁକ୍ତ ନ ହେବା ପର୍ଯ୍ୟନ୍ତ ତୁରନ୍ତ ପଦାକୁ ଛାଡ଼ି ହେବ ନାହିଁ ବୋଲି ବିଶେଷଜ୍ଞଙ୍କ ମତ। ଗୋରୁମାନଙ୍କ ଶରୀରରୁ ସଂଗୃହୀତ ନମୁନାରୁ ଜଣାପଡ଼ିଛି ଯେ, ଏବେ ବି ପ୍ରାୟ ୧୦% ଜୀବଙ୍କ ଶରୀରରେ ଏହି ମାରାତ୍ମକ ପଦାର୍ଥର ଅବଶେଷ ରହିଛି। ଏଭଳି ପରିସ୍ଥିତି ଶାଗୁଣାର ବଞ୍ଚିରହିବା ପାଇଁ ସହନୀୟ ନୁହେଁ। ନିକଟରେ ନେପାଳ ସରକାର ମଧ୍ୟ ନିଜ ଦେଶରେ ଡାଇକ୍ଲୋଫେନାକ ପଦାର୍ଥର ବ୍ୟବହାରକୁ ନିଷିଦ୍ଧ କରି ଏହା ବଦଳରେ ଅନ୍ୟ ଏକ ବିକଳ୍ପ ପଦାର୍ଥ ମେଲୋକ୍ସିକାମ ବ୍ୟବହାରକୁ ଅନୁମୋଦନ କରିଛନ୍ତି। ଏସବୁ ପଦକ୍ଷେପ ଦ୍ୱାରା ଶାଗୁଣାମାନଙ୍କୁ ବିଲୁପ୍ତିର ଦ୍ୱାରଦେଶରୁ ଫେରାଇ ଆଣିହେବ ବୋଲି ବିଶ୍ୱାସ କରାଯାଏ। ମାତ୍ର ଶାଗୁଣାମାନଙ୍କ ପ୍ରଜନନ ଅତି ମନ୍ଥର ହୋଇଥିବାରୁ ସେମାନଙ୍କ ସଂରକ୍ଷଣ ପ୍ରକ୍ରିୟା ସମୟସାପେକ୍ଷ ବୋଲି ଜଣାପଡ଼ିଛି।
ପରିବେଶର ଅବକ୍ଷୟ ଯୋଗୁ ଏକଦା ଆମ ଗାଁ ଗହଳିରେ ପ୍ରଚୁର ଦେଖାଯାଉଥିବା ଜୀବ ଯଥା ଶାଗୁଣା, ଶଂଖଚିଲ, ମାଟିଆଚିଲ, ହଳଦୀବସନ୍ତ, ଅନ୍ଧାରୁଆ ବଗ ଆଦିଙ୍କ ସଂଖ୍ୟା କମି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି। ଏହାଦ୍ୱାରା ପ୍ରକୃତିର ଜୈବବିବିଧତା ହ୍ରାସ ପାଇବା ସାଙ୍ଗକୁ ଖାଦ୍ୟଶୃଙ୍ଖଳ ପ୍ରକ୍ରିୟା ଭଳି ସୂକ୍ଷ୍ମ ପରିବେଶୀୟ ସନ୍ତୁଳନରେ ବାଧା ଉପୁଜୁଛି। ସୁତରାଂ ସମୟ ଆସିଛି, ଆମେ ଆମ ଚତୁଃପାର୍ଶ୍ୱର ଶାଗୁଣା ଭଳି ଜୀବମାନଙ୍କ ପରିବେଶପ୍ରିୟ ଭୂମିକାକୁ ଉପଲବ୍ଧି କରି ସେମାନଙ୍କ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ଉଚିତ।
ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍ ଅଫିସର୍,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪