ଅନ୍ତହୀନ ସୀମାନ୍ତ ଦୁଃଖ

ବାରିପଦା ଅଫିସ,୮ା୧୧:ସୀମାନ୍ତ ଲୋକଙ୍କୁ ରାଜ୍ୟର ବିକାଶ ପଥରେ ସାମିଲ କରିବାକୁ ବିଭିନ୍ନ ଯୋଜନା କରାଯାଉଥିବା ସରକାର କହୁଛନ୍ତି। ହେଲେ ବାସ୍ତବରେ ଚିତ୍ର କିନ୍ତୁ ଭିନ୍ନ। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଞ୍ଜ ହେଉ ବା ମୟୂରଭଞ୍ଜ ଜିଲା ଝାଡ଼ଖଣ୍ଡ ସୀମାନ୍ତ ସାରସକଣା ବ୍ଲକ ଅଧୀନ ପାକଟିଆ ପଞ୍ଚାୟତ। ସବୁଠି ଗୋଟିଏ ଦୁଃଖ। ନିଜ ରାଜ୍ୟରୁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଏବଂ ଆବାସ ଭଳି ମୌଳିକ ସୁବିଧା ନ ମିଳିବାରୁ ପଡ଼ୋଶୀ ରାଜ୍ୟ ଉପରେ ଭରସା କରିବାକୁ ପଡ଼ୁଛି।

ଝାଡ଼ଖଣ୍ଡ ସୀମାନ୍ତ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ପାକଟିଆ ପଞ୍ଚାୟତର ପକପକା, ବାରୁବେଡ଼ା, ଜାମୁଗଣ୍ଡିଆ ଓ ଡୁମୁରୁକୁଦର ଗ୍ରାମରେ ବାସ କରୁଥିବା ଲୋକେ ବିକାଶଠାରୁ ବହୁ ଦୂରରେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି ଓ ପାନୀୟ ଜଳ ସମସ୍ୟାରେ ଯୁଝି ହୋଇ ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ସେଥିରୁ ଏଠାକାର ଲୋକଙ୍କୁ କୌଣସି ସୁଫଳ ମିଳୁନି। ଫଳରେ ଅଧିକାଂଶ ସମୟରେ ମୌଳିକ ସୁବିଧା ପାଇଁ ମଧ୍ୟ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଦୀର୍ଘ ବର୍ଷଧରି ସୀମା ବିବାଦ ଲାଗ ରହିଥିବାବେଳେ ଉଭୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ସୀମା ନିର୍ଦ୍ଧାରଣ ନ ହେବାରୁ ନାଳରେ ପୋଲଟିଏ ମଧ୍ୟ ନିର୍ମାଣ ହୋଇପାରୁନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୂମିହୀନ ଯୋଗୁ ଉଚ୍ଚ ଶିକ୍ଷାରୁ ବଞ୍ଚତ୍ତ ହୋଇ ଅନେକ ଯୁବକ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳୁଛି।
ଜିଲା ମୁଖ୍ୟାଳୟରୁ ୮୦କି.ମି. ଦୂର ପାକଟିଆ ପଞ୍ଚାୟତର ପକପକା, ବାରୁବେଡ଼ା, ଜାମୁଗଣ୍ଡିଆ ଓ ଭାଦୁଅ ଗ୍ରାମ ଝାଡ଼ଖଣ୍ଡ ଏବଂ ଓଡ଼ିଶା ସୀମାରେ ରହିଛି। ପଞ୍ଚାୟତର ଜନସଂଖ୍ୟା ୫ହଜାରରୁ ଅଧିକ ଥିବା ବେଳେ ୮୦ପ୍ରତିଶତ ଲୋକ ଅନୁସୂଚିତ ଜନଜାତିର। ଏହି ଗ୍ରାମର ଅଧିବାସୀମାନେ ବିଶେଷ ଭାବେ ଝାଡ଼ଖଣ୍ଡ ଉପରେ ନିର୍ଭରଶୀଳ। ୩ନଂ. ୱାର୍ଡରେ ବସବାସ କରୁଥିବା ୧୩୦ରୁ ଊର୍ଦ୍ଧ୍ୱ ପରିବାର ଭୂମିହୀନ। ଦୀର୍ଘ ବର୍ଷ ଧରି ସରକାରଙ୍କୁ ଜରିମାନା ବାବଦରେ ବାର୍ଷିକ ୩୭୦ଟଙ୍କା ପୈଠ କରୁଥିଲେ ମଧ୍ୟ ଅଦ୍ୟାବଧି ଜମିପଟ୍ଟା ପାଇ ପାରିନାହାନ୍ତି। ଉଚ୍ଚ ଶିକ୍ଷା ପାଇଁ ବାସସ୍ଥାନ ପ୍ରମାଣପତ୍ର ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବନ୍ଧା ହେଉଛି ଡୋରି। ଫଳରେ ସାବାଳକ ହେବା ପୂର୍ବରୁ କେତେଜଣ ଦାଦନ ଖଟିବାକୁ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଯାଉଛନ୍ତି। ପକପକା ଗ୍ରାମରୁ ମାତ୍ର ୧୦୦ମିଟର ଦୂରରେ ରହିଛି ଝାଡ଼ଖଣ୍ଡ-ଓଡ଼ିଶାର ସୀମାନାଳ। ଶହ ଶହ ବର୍ଷ ଧରି ସୀମା ନିର୍ଦ୍ଧାରଣ ହେଉ ନ ଥିବାରୁ ଲୋକେ ଏହି ନାଳକୁ ଉଭୟ ରାଜ୍ୟର ସୀମା ନାଳ ଭାବେ ପରିଚୟ ଦେଇଛନ୍ତି। ଆବଶ୍ୟକତା ଅନୁଯାୟୀ ଲୋକେ ସେହି ନାଳ ପାର ହୋଇ ଝାଡ଼ଖଣ୍ଡ ରାଜ୍ୟରୁ ହାଟ ସଉଦା କରୁଥିବାବେଳେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଘରୋଇ ଚିକିତ୍ସାଳୟକୁ ଯାଇଥାନ୍ତି।
ସ୍ବାସ୍ଥ୍ୟସେବା: ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟସେବାରେ ତାଲା ପଡ଼ିଛି। ସେବା ଯୋଗାଉଥିବା କାର୍ଯ୍ୟାଳୟ ବର୍ଷତମାମ ବନ୍ଦ ରହୁଥିବାରୁ ଲୁଟାବୁଦାରେ ଲୁଚିବାକୁ ବସିଛି। ଗ୍ରାମରେ ଏକ ଏଏନ୍‌ଏମ୍‌ ସେଣ୍ଟର ରହିଥିଲେ ମଧ୍ୟ ମାସକୁ ଥରେ କି ଦୁଇ ଥର ଏହା ଖୋଲାଯାଇଥାଏ। ପାନୀୟ ଜଳର ଅଭାବ ଦୂର ପାଇଁ ନିଯୁକ୍ତି ପାଇଥିବା କର୍ମଚାରୀ ଜଣକ ଉକ୍ତ ସେଣ୍ଟରରେ ରହୁ ନ ଥିବାରୁ ପ୍ରାୟ ସମୟ କାର୍ଯ୍ୟାଳୟରେ ତାଲା ଝୁଲୁଥାଏ। ଗୁରୁତର ରୋଗୀଙ୍କୁ ଚିକିତ୍ସା ନିମନ୍ତେ ୫କି.ମି. ଦୂର ପାକଟିଆଠାରେ ଥିବା ପିଏଚ୍‌ସିକୁ ନିଆଯାଉଥିଲେ ମଧ୍ୟ ଡାକ୍ତର ନ ଥିବାରୁ ଗଁା ଲୋକେ ସର୍ବନିମ୍ନ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ରହୁଛନ୍ତି। ଫାର୍ମାସିଷ୍ଟଙ୍କ ହାତରେ ସ୍ବାସ୍ଥ୍ୟସେବା ଚାଲିଛି। ଲୋକେ ଝାଡ଼ଖଣ୍ଡର ଅସ୍ତି, କାଶିଆବେଡ଼ା ଓ ଦୁଲୁକିକୋଚାକୁ ଯାଇ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥାନ୍ତି। ପ୍ରସୂତିମାନଙ୍କୁ ୩୦କି.ମି. ଦୂର ଶୀର୍ଷା ଡାକ୍ତରଖାନାକୁ ନେବାକୁ ପଡୁଥିବାବେଳେ ଗୁରୁତର ରୋଗୀଙ୍କୁ ୮୦କି.ମି. ଦୂର ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେବାକୁ ପଡ଼ିଥାଏ।
ଶିକ୍ଷା: ପକପକା ଓ ଜାମୁଗଣ୍ଡିଆ ଗ୍ରାମରେ ବିଦ୍ୟାଳୟଟିଏ ନ ଥିବାରୁ ନିକଟସ୍ଥ ବାରୁବେଡ଼ା ଓ ଭାଦୁଅ ଗ୍ରାମକୁ ପିଲାମାନେ ପାଠପଢ଼ିବାକୁ ଯାଇଥାନ୍ତି। ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ୫କି.ମି. ଦୂର ପାକଟିଆଠାରେ ବିଦ୍ୟାଳୟ ଥିଲେ ହେଁ ଗମନାଗମନ ସୁବିଧା ନ ଥିବାରୁ ବହୁ ଛାତ୍ରୀଛାତ୍ର ଅଧାରୁ ପାଠପଢ଼ା ଛାଡୁଛନ୍ତି। ଅନ୍ୟପକ୍ଷରେ ଭୂମିହୀନ ପରିବାରକୁ ଜମିପଟ୍ଟା ମିଳୁ ନ ଥିବାରୁ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷାରୁ ବଞ୍ଚତ୍ତ ହୋଇ ଶିଶୁ ଶ୍ରମିକ ଭାବେ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। ସେହିପରି ଡୁମୁରୁକୁଦର ଗଁାଟି ପଞ୍ଚାୟତଠାରୁ ବିଚ୍ଛିନ୍ନ ହୋଇପଡ଼ିଛି। ୨କି.ମି. ଦୂର ପାହାଡ଼ ଚଢି ଲୋକେ ପ୍ରତିଦିନ ଜୀବନ ଜୀବିକା ପାଇଁ ବାହାରକୁ ଆସୁଛନ୍ତି। ଗାଁରେ ସ୍କୁଲ ନ ଥିବାରୁ ପାଠପଢ଼ିବା ପାଇଁ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟକୁ ଯାଉଛନ୍ତି।
ଆବାସ ଗୃହ: ଗ୍ରାମର ଅଧିକାଂଶ ଘର ମାଟି ଛପର, ଟାଇଲ ଓ ଆଜବେଷ୍ଟସ। ଭୂମିହୀନ ପରିବାରକୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆ ନ ଯିବାରୁ ଲୋକେ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚତ୍ତ ରହିଛନ୍ତି। ସୂଚନାଯୋଗ୍ୟ, ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ପକ୍କା ଘର ଯୋଜନା ବନ୍ଦ ପଡ଼ିଥିବାବେଳେ ୨୦୨୨ ସୁଦ୍ଧା ମାତ୍ର ୧୬୫ ହିତାଧିକାରୀଙ୍କୁ ଆବାସ ଗୃହ ମିଳିପାରିଛି। ପଞ୍ଚାୟତରେ ପାଖାପାଖି ଏକ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ରହିଥିବାବେଳେ ମାତ୍ର ହାତଗଣତି ହିତାଧିକାରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି।
ଜୀବନ ଜୀବିକା: ପଞ୍ଚାୟତର ଅଧିକାଂଶ ଲୋକ ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପୋଷଣ କରୁଛନ୍ତି। ବନବିଭାଗର କଡ଼ାକଡ଼ି କଟକଣା ଯୋଗୁ ଜଙ୍ଗଲରୁ କେବଳ ଶାଳପତ୍ର ତୋଳି ବିକ୍ରି କରୁଛନ୍ତି। ନିକଟସ୍ଥ ଅଞ୍ଚଳରେ ହାଟ ବଜାର ନ ଥିବାରୁ ଏହି ଶାଳପତ୍ରକୁ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରେ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଅଧିକାଂଶ ଲୋକ ଭାଗଚାଷୀ ହୋଇଥିବାରୁ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ ପାଇଁ ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ମିଳିପାରୁ ନାହିଁ। କେବଳ ପଲିଥିନ ଓ ୧୦କି.ଗ୍ରା. ଚାଉଳରେ ସନ୍ତୁଷ୍ଟ ହେବାକୁ ପଡୁଛି ବୋଲି ଚାଷୀ ଦିଲ୍ଲୀପ ପାଲ ଏବଂ ଧରଣୀ ପାଲ କହିଛନ୍ତି। ସେହିପରି ୩୦କି.ମି. ଦୂର ସାରସକଣାରେ ଧାନ ମଣ୍ଡି ରହିଛି। ପଥୁରିଆ ଓ ଖାଲଖମା ରାସ୍ତାରେ ସେଠାକୁ ଯାଇ ଧାନ ବିକ୍ରି କରିବା କଷ୍ଟକର ହେଉଛି। ଫଳରେ ଧାନ କିଲୋ ପିଛା ୯/୧୦ଟଙ୍କାରେ ବିକ୍ରି କରିବାକୁ ପଡୁଛି ବୋଲି ଚାଷୀ ଚକ୍ରଧର ପାଲ, ଶଶି ପାଲ ଓ ଲାଲ ମୋହନ ପାଲ ପ୍ରକାଶ କରିଛନ୍ତି। ଚାଷ ପାଇଁ ଉପଯୁକ୍ତ ଜଳସେଚନର ବ୍ୟବସ୍ଥା ନ ଥିବାରୁ ଧାନ ଅମଳ କମ ହେଉଛି। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଜଳସେଚନର ବ୍ୟବସ୍ଥା କରାଯାଇଥିବାରୁ ବହୁ ଚାଷୀ ଝାଡ଼ଖଣ୍ଡ ରାଜ୍ୟର ଜମିକୁ ଅଧାଭାଗରେ ଚାଷ କରିବାକୁ ଆଗେଇ ଯାଉଛନ୍ତି।
ଏନେଇ ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କୁ ପଚାରିବାରେ ସୀମାନ୍ତରେ ଥିବା ଗ୍ରାମଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଡୁମୁରୁକୁଦର ଗ୍ରାମକୁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଶିକ୍ଷାରୁ ଦୂରେଇ ଯାଉଥିବା ଛାତ୍ରୀଛାତ୍ରଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମହାନ୍ତି କହିଛନ୍ତି।
ସାରସକଣା ବିଧାୟକ ବୁଢ଼ାନ୍‌ ମୁର୍ମୁଙ୍କ କହିବା ହେଲା ଜିଲାପାଳ କିମ୍ବା ଜିଲା ପ୍ରଶାସନ ତାଙ୍କ କଥା ଶୁଣୁନାହାନ୍ତି। ଅଭିଯୋଗ କରିବା ପରେ ଜିଲାପାଳ ଯେଉଁ ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି, ସତେ ଯେପରି ୨୪ଘଣ୍ଟା ମଧ୍ୟରେ ସବୁ କାମ ହୋଇଯିବ। ଏଭଳି ମନଭୁଲାଣିଆ କଥା କହି ଆମକୁ ଭକୁଆ ବନାଉଛନ୍ତି। ସେହିପରି ଅଳ୍ପ ଦିନ ମଧ୍ୟରେ ରାଜ୍ୟକୁ ମିଳିଥିବା ୯ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଧ୍ୟରୁ ମୟୂରଭଞ୍ଜ ଜିଲା ପାଇଁ ୧ଲକ୍ଷ ୭୨ହଜାର ୪୬୪ ମଞ୍ଜୁର ହୋଇଛି। ମାତ୍ର ବିଭାଗୀୟ ଅଧିକାରୀମାନେ ହିତାଧିକାରୀ ଚୟନ କରି ଗୃହ ଯୋଗାଇବାରେ ବିଳମ୍ବ କରୁଛନ୍ତି। ନିର୍ବାଚନ ଆସିଲେ ତାହାକୁ ବାଣ୍ଟି ସରକାର ଦଳୀୟ ବାହାବା ନେଇ ନିର୍ବାଚନୀ ବୈତରଣୀ ପାର ହେବେ। ସେହିପରି ସରକାରଙ୍କ ନୂଆ ନିୟମ ଅନୁଯାୟୀ ଦୀର୍ଘଦିନ ଧରି ବସବାସ କରୁଥିବା ଲୋକମାନଙ୍କୁ ଚିହ୍ନଟ କରି ୪ ଡିସିମିଲ ଘରବାରି ଜାଗା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ରାଜସ୍ବ ନିରୀକ୍ଷକଙ୍କ ମାଧ୍ୟମରେ ରିପୋର୍ଟ ପ୍ରସ୍ତୁତ କରି ହିତାଧିକାରୀଙ୍କୁ ପ୍ରଦାନ ପରେ ବିନା ପଟ୍ଟାରେ ଆବାସ ଯୋଜନା ମିଳିପାରିବ। ମାତ୍ର ସଚେତନତା ଅଭାବରୁ ଲୋକେ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚତ୍ତ ହୋଇ ଭଙ୍ଗା ଘରେ ଜୀବନ ଅତିବାହିତ କରୁଛନ୍ତି। ସୀମା ନିର୍ଦ୍ଧାରଣକୁ ନେଇ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ଦୃଷ୍ଟିକୁ ଆଣିଛି। ୫-ଟି ଅଧୀନରେ କୌଣସି ବିଦ୍ୟାଳୟ ଆସି ନ ଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାରଙ୍କଠାରେ ଦାବି ଉପସ୍ଥାପନ କରିବି। ସର୍ବୋପରି ଭାଜପା ବିଧାୟକ ଓ ମନ୍ତ୍ରୀ ବାରମ୍ବାର ଜିଲାପାଳଙ୍କୁ ଭେଟି ଲୋକଙ୍କ ସମସ୍ୟା ପ୍ରତି ଅବଗତ କରୁଥିଲେ ମଧ୍ୟ ଜିଲା କିମ୍ବା ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀ ଦୟନୀୟ ଜୀବନ ବିତାଉଛନ୍ତି ବୋଲି ବିଧାୟକ କହିଛନ୍ତି।

ନୀଳାଦ୍ରି ବିହାରୀ ଦଣ୍ଡପାଟ