ଶତ୍ରୁ ହେବେ ମିତ୍ର: ଚାଇନାରେ ବ୍ଲିଙ୍କେନ…

ବେଜିଂ,୧୮।୬ : ପୃଥିବୀର ଦୁଇ ବୃହତ ଅର୍ଥନୀତି ତଥା ଶତ୍ରୁ ଆମେରିକା ଚାଇନା ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କର ପ୍ରସ୍ତୁତି ଆରମ୍ଭ ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଦୁଇ ଦିନିଆ ଗସ୍ତରେ ରବିବାର ଚାଇନାରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ସେ ଆମେରିକା ଏବଂ ଚାଇନା ମଧ୍ୟରେ ବଢୁଥିବା ତିକ୍ତତାକୁ ହ୍ରାସ କରିବାକୁ ପ୍ରୟାସ ଉପରେ ଆଲୋଚନା କରିବାର ଯୋଜନା ରହିଛି। ପାଞ୍ଚ ବର୍ଷ ପରେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଗସ୍ତରେ ଚାଇନାରେ ପହଞ୍ଚିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକାର ଅଧିକାରୀଙ୍କ ଅନୁଯାୟୀ ଆଣ୍ଟୋନି ବ୍ଲିଙ୍କେନ ରବିବାର ତାଙ୍କର ଚାଇନା ପ୍ରତିପକ୍ଷ କିନ ଗ୍ୟାଙ୍ଗ ଏବଂ ଚାଇନା କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ନୀତି ମୁଖ୍ୟ ୱାଙ୍ଗ ୟିଙ୍କୁ ଭେଟିବେ। ଏହା ବ୍ୟତୀତ ସେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏହାପୂର୍ବରୁ ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ବ୍ଲିଙ୍କେନଙ୍କ ଉଦ୍ଦେଶ୍ୟରେ କହିଥିଲେ ତାଇୱାନ ପ୍ରଶ୍ନ ଉପରେ ଆମେରିକା ଚାଇନାର ଆଭିମୁଖ୍ୟକୁ ସମ୍ମାନ ଦେବା ଉଚିତ। ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରରେ ଆମେରିକାର ହସ୍ତକ୍ଷେପ ବନ୍ଦ କରାଯିବା ଉଚିତ ବୋଲି ସେ ଚେତାବନୀ ଦେଇଥିଲେ। ଏଥି ସହିତ ପ୍ରତିଯୋଗିତା ନାମରେ ଚାଇନାର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ବିକାଶ ସ୍ବାର୍ଥକୁ କ୍ଷୁର୍ଣ୍ଣ କରିବା ବନ୍ଦ ହେବା ଆବଶ୍ୟକ ବୋଲି କହିଥିଲେ।

ଏହାପୂର୍ବରୁ ବ୍ଲିଙ୍କନ ଫେବୃଆରୀ ୨୦୨୩ ରେ ଚାଇନା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଆମେରିକା ଉପରେ ଚାଇନାର ଗୁପ୍ତଚର ବେଲୁନ ଉଡ଼ିବା ନେଇ ଜୋ ବାଇଡେନ ପ୍ରଶାସନ ଅସନ୍ତୋଷ ପ୍ରକାଶ କରିବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।

Share